ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ବିଲକିସ୍ ବାନୋ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିଛି ଦିନ ତଳେ ବିଲକିସ ବାନୋଙ୍କ ଦୁଷ୍କର୍ମକାରୀ ମାନଙ୍କୁ ଜାମିନ ମିଳିଥିବା ବେଳେ ଏହାକୁ ନେଇ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରଶ୍ନ କରିଛନ୍ତି।ସେ ପଚାରିଛନ୍ତି ଯେ, ବିଲକିସ୍ କ’ଣ ଆପଣଙ୍କ ଝିଅ ନୁହଁନ୍ତି କି? ଏହା ସହ ଓୱେସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବେଟି ବାଚାଓ, ବେଟି ପଢ଼ାଓ’ ସ୍ଲୋଗାନକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।
ଓୱେସୀ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମହିଳାମାନଙ୍କ ସହ ଦୁଷ୍କର୍ମ କରୁଥିବା କୁକୁରମାନଙ୍କୁ ବିଜେପି ସରକାର ସହଜରେ ଛାଡ଼ି ଦେଉଛନ୍ତି। ବିଜେପିର ମାନବିକତା କୁଆଡେ ଗଲା? ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବେଟି ବାଚାଓ, ବେଟି ପଢ଼ାଓ’ ସ୍ଲୋଗାନ କୁଆଡେ ଗଲା?ଓୱେସୀ କହିଛନ୍ତି ଯେ ଗର୍ଭବତୀ ଥିବା ବିଲକିସ୍ ବାନୋ ଏବଂ ତାଙ୍କ ମା’ ଓ ଅନ୍ୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଦୋଷୀଙ୍କ ଦଣ୍ଡକୁ କ୍ଷମା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନକୁ ଭିତ୍ତିହୀନ ବୋଲି ଗୁଜରାଟରେ ବିଜେପି ସରକାର ପ୍ରମାଣ କରିଛନ୍ତି। ୨୦୦୨ରେ ବିଲକିସ୍ ବାନୋଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ଗୁଜରାଟ ସରକାର ଗତ ମାସରେ ୧୧ଜଣ ଦୋଷୀଙ୍କ ଦଣ୍ଡକୁ କ୍ଷମା କରି ସେମାନଙ୍କୁ ଜେଲରୁ ମୁକୁଳାଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଓୱେସୀ।