କୌଣସି ନୋଟିସ ନଦେଇ ଗରିବମାନଙ୍କ ଘର ଭାଙ୍ଗିବାକୁ ଆପଣ କିଏ; ମଧ୍ୟପ୍ରଦେଶ ସରକାରଙ୍କୁ ଏପରି ପ୍ରଶ୍ନ କଲେ ଅସଦୁଦ୍ଦିନ ଓୱାଇସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଖରଗୋନକ ଠାରେ ରାମନବମି ଶୋଭାଯାତ୍ରାରେ ପଥର ଫିଙ୍ଗିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ହିଂସା ପ୍ରବଣ ଅଞ୍ଚଳରେ ପଥର ଫିଙ୍ଗିଥିବା ଅଭିଯୁକ୍ତଙ୍କ ଘର ଗୁଡ଼ିକ ବୁଲଡୋଜରରେ ଭାଙ୍ଗି ଦିଆଯାଇଥିଲା । ଯାହା ପରେ ଦେଶର ରାଜେନୌତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ଏହା ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିନା ନୋଟିସରେ କିପରି ଭାବରେ ଲୋକମାନଙ୍କର ଘର ଗୁଡ଼ିକୁ ମଧ୍ୟ ପ୍ରଦେଶ ସରକାର ଭାଙ୍ଗିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓୱାଇସି । ଏହା ସହ ଖାର୍ଗୋନରେ ଶିବରାଜ ସିଂ ଚୌହାନ ସରକାରଙ୍କ କାର୍ଯ୍ୟକୁ ଏକପାଖିଆ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କେଉଁ ଆଧାରରେ ସେମାନଙ୍କ ଘର ଭାଙ୍ଗି ଦିଆଯାଉଛି ବୋଲି ପଚାରିଛନ୍ତି।

କୌଣସି ବିଜ୍ଞପ୍ତି ଦିଆଯାଇ ନାହିଁ କିମ୍ବା ଆପଣ କାହିଁକି ଘର ଭାଙ୍ଗୁଛନ୍ତି ତାହା ମଧ୍ୟ ଜଣାଇ ନାହାଁନ୍ତି। ଗରିବ ମୁସଲମାନମାନଙ୍କ ଘର ଭାଙ୍ଗିବା ଦ୍ୱାରା କେଉଁ ସୁଖ ମିଳିଥାଏ? କୌଣସି ନୋଟିସ ନ ଦେଇ ଗରୀବଙ୍କ ଘର ଭାଙ୍ଗିବା ପାଇଁ ଆପଣ କିଏ, କୋର୍ଟ କ’ଣ ଏବଂ ବିଚାରପତିମାନେ କ’ଣ? ଓୱାଇସି ବୁଲଡୋଜର କାର‌୍ୟ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ କେଉଁ ଆଇନ ଆଧାରରେ ଗରିବ ମୁସଲମାନମାନଙ୍କ ଘର ଭାଙ୍ଗି ଦିଆଗଲା? ମଧ୍ୟପ୍ରଦେଶର ବିଜେପି ସରକାର ମୁସଲମାନମାନଙ୍କୁ ସାମୂହିକ ଦଣ୍ଡ ଦେଉଛନ୍ତି ବୋଲି ଓୱାଇସି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts