କିଏ ହେବ ମୁଖ୍ୟମନ୍ତ୍ରୀ ? ତିନି ରାଜ୍ୟରେ କଂଗ୍ରେସରୁ ଏକାଧିକ ଚେହେରା…

19ର ସେମିଫାଇନାଲ୍‌ରେ କଂଗ୍ରେସ 3-0 ବିଜୟ ଆଡ଼କୁ ମୁହାଁଉଛି । ଏମିତିରେ କଂଗ୍ରେସ ପକ୍ଷରୁ ଏ ସବୁ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା । ତିନିଟି ଯାକ ରାଜ୍ୟରେ ଦଳ ପକ୍ଷରୁ ଏକାଧିକ ନାଁ ରହିଛି ଚର୍ଚ୍ଚାରେ । ରାଜସ୍ଥାନରେ କଂଗ୍ରେସ ସରକାର କଲେ ସଚିନ୍‌ ପାଇଲଟ୍‌ ଓ ଅଶୋକ ଗେହଲଟ୍‌ଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶରେ ଯଦି କଂଗ୍ରେସ କ୍ଷମତା ଦଖଲ କରେ ତେବେ ଏଠାରେ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରୁ ଜଣେ ପିନ୍ଧିପାରନ୍ତି ମୁକୁଟ । ଛତିଶଗଡ଼କେ କଂଗ୍ରେସ ସରକାର ଗଢ଼ିବା ପକ୍କା ହୋଇଥିବାବେଳେ ଏଠାରେ ପ୍ରାୟ 4 ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ।

ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ କଂଗ୍ରେସ । ବସୁନ୍ଧରା ରାଜ୍‌ ଶେଷ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଦଳର ଦୁଇ ପ୍ରମୁଖ ନେତା ରାଜସ୍ଥାନ କଂଗ୍ରେସ ସଭାପତି ସଚିନ ପାଇଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଆଉ ଏହି ଦୁଇ ଜଣଙ୍କ ମଧ୍ୟରୁ ହିଁ ଜଣେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଦଳୀୟ ହାଇକମାଣ୍ଡ ପାଇଁ ଏତେ ସହଜ ହେବନି ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ୪୧ ବର୍ଷୀୟ ସଚିନ ପାଇଲଟ ୨୦୦୪ରେ ନିର୍ବାଚନୀ ମୈଦାକୁ ଓହ୍ଲାଇଥିଲେ । ୨୬ ବର୍ଷ ବୟସରେ ସେ ଦୌସା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସର୍ବକନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ । ୨୦୦୯ରେ ଆଜମେର ଲୋକସଭା ଆସନରୁ ପୁଣି ବିଜୟୀ ହେବା ପରେ ମନମୋହନ ସିଂହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ସଚିନ ।

୨୦୦୯ରେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଓ ପରେ ୨୦୧୨ରେ କର୍ପୋରେଟ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ତେବେ ୨୦୧୪ରେ ଆଜମେର୍‌ରୁ ହିଁ ପରାସ୍ତ ହୋଇଥିଲେ ପାଇଲଟ । କିନ୍ତୁ ଭେଟେରାନ ଅଶୋକ ଗେହଲଟଙ୍କୁ ଅଣଦେଖା କରି ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା କଂଗ୍ରେସ ପାଇଁ ସହଜ ହେବନି ।

୧୯୮୦ରେ ପ୍ରଥମ ଥର ପାଇଁ ଲୋକସଭା ସାଂସଦ ହୋଇଥିବା ଗେହଲଟ ୫ ଥର ଲୋକସଭାକୁ ଓ ୨ ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇସାରିଛନ୍ତି । ୧୯୮୨ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଗେହଲଟ ପରେ ରାଜୀବ ଗାନ୍ଧି ଓ ପିଭି ନରସିଂହ ରାଓଙ୍କ ମନ୍ତ୍ରି ମଣ୍ଡଳରେ କ୍ରୀଡ଼ା, ବୟନ ଶିଳ୍ପ ଆଦି ବିଭାଗ ସମ୍ଭାଳିଥିଲେ । ୧୯୯୮ ଓ ୨୦୦୮ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରା କରିଥିବା ଗେହଲଟ ଏଥର ମଧ୍ୟ ରେସ୍‌ରେ ଆଗୁଆ ଅଛନ୍ତି ।

ମଧ୍ୟପ୍ରଦେଶରେ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦୁଇ ଜଣଙ୍କ ନାଁ ହିଁ ଚର୍ଚ୍ଚାରେ ରହିଛି । ଆଉ ଦୁଇ ଜଣ ଯାକ ଲୋକସଭା ସାଂସଦ ଅଛନ୍ତି । ଶିବରାଜ ସିଂହ ଚୌହାନ ସରକାରକୁ ଗାଦିଚ୍ୟୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୭୨ ବର୍ଷୀୟ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ରାହୁଲ ଗାନ୍ଧିଙ୍କ ଘନିଷ୍ଠ ୪୭ ବର୍ଷୀୟ ଜ୍ୟୋତିରାଦିତ୍ୟ ୨୦୦୨ରୁ ଏଯାଏ ଲୋକସଭା ସାଂସଦ ଭାବେ ୪ ଥର ନିର୍ବାଚିତ ହୋଇ ଆସିଛନ୍ତି । ୨୦୦୮ରେ ପ୍ରଥମ ଥର ପାଇଁ କେନ୍ଦ୍ର କମ୍ୟୁନିକେସନ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ସିନ୍ଧିଆ । ଏହାପରେ ସେ ବାଣିଜ୍ୟ ଓ ଶିଳ୍ପ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ତେବେ ୯ ଥରର ଲୋକସଭା ସାଂସଦ କମଳନାଥଙ୍କୁ ଦିଗବିଜୟ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ସମର୍ଥନ ମିଳିବା ସମ୍ଭାବନା ରହିଛି । ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା କମଳନାଥ ୪ ଦଶନ୍ଧୀ ହେଲା କଂଗ୍ରେସର ବିଭିନ୍ନ ସାଂଗଠନାକି ପଦ ପଦବୀ ସହ କେନ୍ଦ୍ର ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗର ଦାୟିତ୍ବ ନେଇସାରିଛନ୍ତି । ତେଣୁ ଯୁବ ନେତା ଅପେକ୍ଷା ଅଭିଜ୍ଞତାକୁ ଗୁରୁତ୍ବ ମିଳିବା ସମ୍ଭାବନା ଅଧିକ ।

ଛତିଶଗଡ଼ ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ହାସଲ ପରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାକୁ ନେଇ ସରଗରମ ଚର୍ଚ୍ଚା । ଦୌଡ଼ରେ ଦଳର ପ୍ରାୟ ୪ ଜଣ ନେତା ଥିବା ବେଳେ ଛତିଶଗଡ଼ ପିସିସି ସଭାପତି ଭୂପେଶ ବଘେଲ ରେସ୍‌ରେ ଆଗୁଆ ଅଛନ୍ତି ।

ପାଟନ ଆସନରୁ ୪ ଥରର ବିଧାୟକ ଭୂପେଶ ଅବିଭାଜିତ ମଧ୍ୟପ୍ରଦେଶରେ ଦିଗବିଜୟ ସିଂହ ଓ ଅଜିତ ଯୋଗୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ୨୦୧୩ ମାଓ ଆକ୍ରମଣରେ ଛତିଶଗଡ଼ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ରାଜ୍ୟରେ ବଘେଲଙ୍କ ଗୁରୁତ୍ବ ବଢ଼ି ଚାଲିଛି ।

ଛତିଶଗଡ଼ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଟି.ଏସ୍‌ ସିଂହଦେଓଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଚଳିତ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଅନ୍ୟତମ ଧନୀ ପ୍ରାର୍ଥୀ ଥିବା ସିଂହଦେଓଙ୍କ ସହ ପଛୁଆ ବର୍ଗର ପ୍ରତିନିଧିତ୍ବ କରୁଥିବା ଓ ବର୍ତ୍ତମାନ ଛତିଶଗଡ଼ରୁ ଲୋକସଭାକୁ ନିର୍ବାଚିତ ଜଣେମାତ୍ର ସାଂସଦ ତାମ୍ରଧ୍ବଜ ସାହୁ ଓ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଚରଣଦାସ ମହନ୍ତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ।

Related Posts