
ତେଲଙ୍ଗାନା ବିଧାନସଭା ନିର୍ବାଚନରେ ତେଲଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ୍ର ବାଜିମାତ୍ । ପୁଣି ଥରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତା ବଜାୟ ରଖିଛି କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ । ସ୍ବତନ୍ତ୍ର ତେଲଙ୍ଗାନାରେ ଲଗାତାର ଦ୍ବିତୀୟ ଥର ସରକାର ଗଢିବ ଟିଆରଏସ୍ । ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇ ବଡ ଗ୍ୟାମ୍ବଲ କରିଥିଲେ କେସିଆର୍ । ଆଉ ଏହା ସଫଳ ହୋଇଛି । ପୂର୍ବ ଅପେକ୍ଷା ଜବରଦସ୍ତ ପ୍ରଦର୍ଶନ କ୍ଷମତା ବଜାୟ ରଖିଛି ଟିଆର୍ଏସ୍ ।
ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି କେସିଆର୍ । ଏଥର ଟିଆର୍ଏସ୍ ବିରୋଧରେ ଅବତୀର୍ଣ୍ଣ ହୋଇଥିଲେ କଂଗ୍ରେସ, ଟିଡିପି ଓ ସିପିଆଇର ମହାମେଣ୍ଟ । କିନ୍ତୁ ଏହାର କୌଣସି ପ୍ରଭାବ ଟିଆର୍ଏସ୍ ଉପରେ ପଡିନାହିଁ । ଅଧିକାଂଶ ଏକଜିଟ୍ ପୋଲ୍ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଟିଆର୍ଏସ୍ କ୍ଷମତାକୁ ଫେରିବା ନେଇ ପୂର୍ବାନୁମାନ କରିଥିଲେ ।
କିନ୍ତୁ ସବୁ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଟିଆରଏସ୍ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ବିଧାନସଭାର 119 ଆସନରୁ ପାଖାପାଖି 90 ଆସନ ପାଇ ସରକାର ଗଢିବ ଟିଆରଏସ୍ । କଂଗ୍ରେସ, ଟିଡିପି ଓ ସିପିଆଇ ମହାମେଣ୍ଟ ବେଶ୍ ପଛରେ ପଡି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ହାଇଦ୍ରାବାଦର ବିଧାନସଭା ନିର୍ବାଚନମଣ୍ଡଳୀଗୁଡିକରେ ନିଜର ଆଧିପତ୍ୟ ବଜାୟ ରଖିଛି ଏଆଇଏମଆଇଏମ୍ । ନିରାଶ ହୋଇଛି ବିଜେପି ।
ତେଲଙ୍ଗାନା ଫଳାଫଳ କଂଗ୍ରେସ ଓ ଟିଡିପି ମୁଖ୍ୟ ଏନ.ଚନ୍ଦ୍ରାବାବୁ ନାଇଡୁଙ୍କ ପ୍ରତି ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି । ଟିଆରଏସ ବିରୋଧରେ କଂଗ୍ରେସ ସହ ହାତ ମିଳାଇ ମହାମେଣ୍ଟ ଗଠନ କରିଥିଲେ ନାଇଡୁ । ତେଲଙ୍ଗାନା ଫଳାଫଳ 2019 ପୂର୍ବରୁ ସବୁ ବିଜେପି ବିରୋଧୀ ଦଳକୁ ଏକାଠି କରିବା ପାଇଁ ନାଇଡୁଙ୍କ ଉଦ୍ୟମକୁ ଝଟ୍କା ଲାଗିବ ନିଶ୍ଚୟ । 2014 ନିର୍ବାଚନରେ ଟିଆରଏସ୍ 63 ଆସନ ପାଇଥିଲା । କଂଗ୍ରେସକୁ 21, ଟିଡିପି 15, ଏଆଇଏମ୍ଆଇଏମ୍ 7 ଓ ବିଜେପି 5ଟି ସ୍ଥାନରେ ଜିତିଥିଲା ।
119 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର 7 ତାରିଖରେ ହୋଇଥିଲା ମତଦାନ । ଏଥରର ଫଳାଫଳ ସ୍ପଷ୍ଟ କରିଛି ଯେ, ଟିଆର୍ଏସ୍ ଓ କେସିଆରଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ଆଉ ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସର ପ୍ରଦର୍ଶନ ଦଳର ସମର୍ଥକଙ୍କୁ ନିରାଶ କରିବ ନିଶ୍ଚୟ ।