ପଇସା ପାଇଁ ପ୍ରାର୍ଥନା

ସତ୍ୟପାଠ ବ୍ୟୁରୋ : ଆଗରୁ ବହୁତ ଗାଳି ଦେଉଥିଲେ । ଫୁଟାଣି ମାରୁଥିଲେ । ନିଜେ ସବୁ କରିବେ ବୋଲି ବାହାଦୂରୀ ମାରି ଯେତେବେଳେ ବିଫଳ ହେଲେ ସେବେ ଗାଳି ବଦଳରେ ଆରମ୍ଭ ହେଲା ପ୍ରଶଂସା । କେନ୍ଦ୍ର ବଜେଟକୁ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ପ୍ରଶଂସା ପରେ ଏହି ଚର୍ଚ୍ଚା ଏବେ ସବୁଠି । ସାଧାରଣରେ ଏବେ ଗୋଟିଏ ଆଲୋଚନା ଆଗରୁ ଅଙ୍ଗଦାନ କରିଥିଲେ । ଆଉ ଏବେ ମୂଲ୍ୟବୋଧ ଦାନ କଲେ ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ରାଜନୈତିକ ଦଳର କାମ ହେଲା ରାଜନୀତି କରିବ ଓ ନେତା ତିଆରି କରିବ । ବିଗତ ବର୍ଷମାନଙ୍କରେ ଓଡିଶାର ଆଂଚଳିକ ଦଳ ବିଜେଡି ଓ ଜାତୀୟ ରାଜନୈତିକ ବିଜେପି ଭିତରେ ଥିବା ସଂପର୍କ କାହାକୁ ଅଛପା ନାହିଁ । ପ୍ରଥମେ ମେଂଟରେ ରହି ଉଭୟ ସରକାର ଚଳାଉଥିଲେ କିନ୍ତୁ ଯେବେ ଠୁ ମେଂଟ ଭାଙ୍ଗିଲା ତାହା ପରଠାରୁ ଦୁଇ ପରସ୍ପର ବିରୋଧୀ ଶକ୍ତି ନିଜ ନିଜକୁ ଗାଳି ଦେବା ଆରମ୍ଭ କଲେ । ୨୦୧୭ ପଂଚାୟତ ନିର୍ବାଚନ ବେଳକୁ ବିଜେଡି- ବିଜେପି କଳି ଏତେ ବଢ଼ିଗଲା ଯେ, ଅନେକ ନେତା ଏହାକୁ ବ୍ୟକ୍ତିକେନ୍ଦ୍ରୀକ ମଧ୍ୟ କରିଦେଲେ । ଅନ୍ଧ ଧୃତରାଷ୍ଟ୍ର ଠୁ ନେଇ ନାରଦ, ଶକୁନୀ, ଶ୍ରୀଖଣ୍ଡୀ ଭଳି ଅଶୋଭନୀୟ ଶବ୍ଦ ବି ବ୍ୟବହାର ହୋଇଛି ବିଗତ କିଛି ବର୍ଷ ଧରି ।

କିନ୍ତୁ ଏବେ ସମୟ ବଦଳିଛି । ଦୁଇ ବିରୋଧୀ ଦଳ ଏବେ କୋଳାକୋଳି ମୁଦ୍ରାରେ । ଏହାକୁ ଭାରତୀୟ ଜନତା ପାର୍ଟି ନେତା ବି ମାନିଛନ୍ତି ଯେ ଭିତିରିଆ ନୁହେଁ ଖୋଲା ବୁଝାମଣା ହୋଇଛି । ଯାହାର ଫଳ ସ୍ୱରୂପ ୨୦୧୯ ନିର୍ବାଚନ ପରେ ଓ ଖାସ୍ କରି ଫନୀ ବାତ୍ୟା ପରେ ଦୁଇ ଦଳର ଶୀର୍ଷ ନେତା ପରସ୍ପରକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବର ପୋଡା ଟ୍ରାନ୍ସଫର୍ମର ଏବେ ବିପଦ ବେଳର ବନ୍ଧୁ । ଯାହାର ଜ୍ୱଳନ୍ତ ଉଦାହରଣ ଥିଲା ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ଖୋଲା ସମର୍ଥନ ।

ରାଜନୀତିରେ ରୁଚି ରଖୁଥିବା ଲୋକେ ଏହାର କାରଣ ଖୋଜିଥିଲେ । ଶେଷରେ ସେ କାରଣ ଏବେ ଜଣାପଡିଛି ରାଜ୍ୟସଭାର ବଜେଟ ଆଲୋଚନା ବେଳେ । କେନ୍ଦ୍ର ବଜେଟରେ ଓଡିଶାର ଭାଗ ପୁରା କମ୍ ତଥାପି ବିଜୁ ଜନତା ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ବଜେଟକୁ ପ୍ରଶଂସା କରିଛନ୍ତି । ଅବଶ୍ୟ ନିଜେ ନବୀନ ବାବୁ ବି ବଜେଟ ଉପରେ ମାପିଚୁପି ବୟାନ ଦେଇଛନ୍ତି କିନ୍ତୁ ନିଜ ଦଳଭାଇଙ୍କୁ ଲଗାଇ ବଜେଟକୁ ଐତିହାସିକ ବୋଲି କୁହାଇଛନ୍ତି ।

ଏହାର ମୂଳ କାରଣ ହେଲା ପଇସା ବା କେନ୍ଦ୍ରୀୟ ଅନୂଦାନ । ବର୍ତ୍ତମାନ ପରିପ୍ରେକ୍ଷୀରେ କେବଳ ମଦ ବିକ୍ରି ଛଡା ଅନ୍ୟ କୌଣସି ଉତ୍ସରୁ ରାଜ୍ୟକୁ ପ୍ରମୁଖ ରାଜସ୍ୱ ମିଳୁନାହିଁ । ରାଜ୍ୟର ରାଜସ୍ୱ ବଢ଼ିବା ଭଳି କିଛି ସମ୍ଭାବନା ବି ଦିଶୁନି । ତେଣୁ କେନ୍ଦ୍ର ଉପରେ ନିର୍ଭରଶୀଳ ରାଜ୍ୟ । ମାନେ ନିଜର ଅଯୋଗ୍ୟ ପଣକୁ ଲୁଚାଇବାକୁ ଏବେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି କିଛି ଅନୁଦାନ ଆଣିବା ଚକ୍କରରେ ଅଛି ବିଜେଡି । ହୁଏତ ଏହା ସାମୟିକ ଆଶ୍ୱସ୍ତି ହୋଇପାରେ କିନ୍ତୁ ପରଘର ତିଅଣରେ ନା ପେଟ ପୁରେ ନା ତାହା ସବୁଦିନ ମିଳେ । ତେଣୁ ବେଳହୁଁ ସାବଧାନ ନହୋଇ ନେଡି ଗୁଡ କହୁଣୀକୁ ବୋହିଗଲେ କଥା ସରିଲା…

Related Posts