ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡିର ନୂଆ ଫଣ୍ଡା

ସତ୍ୟପାଠ ବ୍ୟୁରୋ : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ଦାବୀ କରି ବୋଲି ରାଜ୍ୟ ସରକାର ଅନେକ ଥର ଚିଠି ଲେଖିଛନ୍ତି କେନ୍ଦ୍ରକୁ । କିନ୍ତୁ ଫଳ କିଛି ମିଳିନାହିଁ । ତେଣୁ କେନ୍ଦ୍ର କାନରେ ଏ କଥାକୁ ପୁଣି ଥରେ ପକାଇବାକୁ ଶାସକ ବିଜୁ ଜନତା ଦଳ ଏବେ ନୂଆ ଫଣ୍ଡାଟିଏ ଆବିଷ୍କାର କରିଛି । ଯାହା ପଢ଼ିବାକୁ, ଶୁଣିବାକୁ ଏକଦମ୍ ନୂଆ ନହେଲେ ବି ଠିକ୍ ଠାକ୍ ଲାଗୁଛି । ପୂର୍ଣ୍ଣକାଳୀନ ନହେଲା ନାହିଁ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପର୍ଯ୍ୟନ୍ତ ଆମକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସୁବିଧା ମିଳୁ ବୋଲି କହି ରାଜ୍ୟ ସଭାରେ ନିଜ ଦାବୀ ଦୋହରାଇଛି ବିଜୁ ଜନତା ଦଳ । ବଜେଟ ଆଲୋଚନାରେ ଭାଗନେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ପ୍ରାକୃତିକ ବିପର୍ଯ୍ୟୟର ତାଲିକା ଦେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି ବିଜେଡି । ମହାବାତ୍ୟା, ହୁଡହୁଡ, ଫାଇଲିନ, ତିତଲ ଓ ଫନୀ ଭଳି ପ୍ରଳୟଙ୍କାରୀ ବାତ୍ୟା ସହ ପ୍ରାୟ ପ୍ରତିବର୍ଷ ବନ୍ୟାର ବିଭୀଷିକା ଦେଖୁଛି ଓଡିଶା । ବିଗତ ୧୦୦ବର୍ଷ ଭିତରେ ୭୮ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି ଓଡିଶା । ଅନେକ କ୍ଷତି ହୋଇଛି, ତଥାପି ଅଣ୍ଟା ସଳଖିବାକୁ ଚେଷ୍ଟା କରିଛୁ । ରାଜ୍ୟର ଗରୀବିହାର କମୁଛି । କିନ୍ତୁ କେନ୍ଦ୍ରର ସହଯୋଗ ଅଧିକ ଦରକାର । ତେଣୁ ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ସହଯୋଗ କରିବା କେନ୍ଦ୍ରର ଦାୟିତ୍ୱ । ଏହି ଭାଗିଦାରୀ ଦ୍ୱାରା ଓଡିଶା ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଗତ ୧୦୦ବର୍ଷରେ ୭୮ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାର ଅନୁଭୂତି କଣ ହୋଇପାରେ ତାହା ଓଡିଶାବାସୀଙ୍କ ଛଡା ଆଉ ବା କିଏ ଭଲରେ କହିପାରିବ । ସାଂସଦଙ୍କ ମତରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ସ୍ୱତନ୍ତ୍ର ସହାୟତା ପାଇଁ ଦାବୀ କରୁଛନ୍ତି । କିନ୍ତୁ ଓଡିଶାର ସ୍ଥିତି ଯାହା କେନ୍ଦ୍ରର ଭାଗିଦାରୀ ଅଧିକ ଦରକାର । ଯଦି ପୂର୍ଣ୍ଣକାଳୀନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କୌଣସି ପ୍ରତିବନ୍ଧକ ରହିଛି ତେବେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏ ଆମକୁ ଏହି ସୁବିଧା ମିଳୁ ବୋଲି ସାଂସଦ ଦାବୀ କରିଛନ୍ତି ।

Related Posts