ଭୟଙ୍କର କ୍ରାମ୍ପ ସତ୍ୱେ କାହିଁକି ମାକ୍ସଓ୍ବେଲ ରନର୍ ନେଲେନାହିଁ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଏକ ଅବିଶ୍ୱାସନୀୟ ବିଜୟ ହାସଲ କରିଛି କଙ୍ଗାରୁ ଦଳ | ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 291 ରନ କରିଥିବାବେଳେ 292 ବିଜୟ ଲକ୍ଷର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯୟର ସାମ୍ନା କରିଥିଲା | ଏକ ସମୟରେ ଦଳର ମାତ୍ର 91 ରନ କରି ମୂଲ୍ୟବାନ 7 ୱିକେଟ୍ ହରାଇ ସାରିଥିଲା | ହେଲେ ଭଳି ଏକ ସଙ୍କଟ ସମୟରୁ ଦଳକୁ ବାହାର କରିଥିଲେ ଦଳର ଧୂଆଁଦାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ | ମ୍ୟାକ୍ସୱେଲ 201 ରନର ଅପରାଜୟ ପାଳି ଖେଳି ଦଳକୁ ବିଜୟ ଭେଟି ଦେବା ସହିତ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ବନ୍ଦ କରି ଦେଇଥିଲେ |

ତେବେ ମ୍ୟାକ୍ସୱେଲ ନିଜ ଇନିଂସ ସମୟରେ ଭୟଙ୍କର ଭୟଙ୍କର କ୍ରାମ୍ପର ଶିକାର ହୋଇଥିଲେ | ମ୍ୟାଚ ମଝିରେ ସେ ବାରମ୍ବାର ପଡିଆରେ ଯନ୍ତ୍ରଣା ଯୋଗୁ ଶୋଇ ଯାଉଥିବାର ମଧ୍ୟ ଦେଖାଯାଉଥିଲା | ହେଲେ ସେ ହାର ମାନିନଥିଲେ | ଗୋଟିଏ ଗୋଡ଼ରେ ଛିଡା ହୋଇ ଛକା ଓ ଚୌକା ବର୍ଷା କରି ଚାଲିଥିଲେ | ତେବେ ଏଭଳି ଭୟଙ୍କର କ୍ରାମ୍ପ ଯନ୍ତ୍ରଣାରେ ଥିବା ସତ୍ୱେ ସେ କାହିଁକି ରନର୍ ନେଲେ ନାହିଁ ତାକୁ ନେଇ ଚର୍ଚ୍ଚା ଚାଲିଥିଲା |

ତେବେ ପୂର୍ବରୁ ଅନେକ ମ୍ୟାଚରେ ଖେଳାଳିମାନେ କ୍ରାମ୍ପ କିମ୍ବା ଅନ୍ୟ କୌଣସି ସମସ୍ୟା ଯୋଗୁଁ ଦୌଡ଼ିବାରେ ଅସମର୍ଥ ହେଲେ ଅନ୍ୟ ଜଣେ ସାଥି ଖେଳାଳି ତାଙ୍କ ପାଇଁ ରନର୍ ହୋଇ ଆସି ରନ୍ ଦୌଡ଼ିବାର ନଜିର ରହିଛି | 2003 ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ପାଇଁ ବୀରେନ୍ଦ୍ର ସେହବାଗ ଦୌଡ଼ିଥିଲେ | ସେହିଭଳି 2011 ବିଶ୍ୱକପରେ ଗୌତମ ଗମ୍ଭୀର ବାଂଲାଦେଶ ବିପକ୍ଷ ମ୍ୟାଚରେ ବୀରେନ୍ଦ୍ର ସେହବାଗଙ୍କ ପାଇଁ ଦୌଡ଼ିଥିଲେ ଓ ସେହବାଗ ସେହି ମ୍ୟାଚ ରେ 175 ରନ କରିଥିଲେ |

ତେବେ ମାକ୍ସଓ୍ବେଲ କାହିଁକି ରନର୍ ନେଲେନାହିଁ?

ଆଫଗାନିସ୍ତାନ ବିପକ୍ଷରେ ମାକ୍ସଓ୍ବେଲ ଯନ୍ତ୍ରଣାରେ ଥିବା ସତ୍ୱେ କାହିଁକି ରନର୍ ନେଲେନାହିଁ ? ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରିଥିଲା | ବାସ୍ତବରେ ଏହି ରନର୍ ନିୟମକୁ ବର୍ତ୍ତମାନ ICC ପ୍ରତ୍ୟାହାର କରି ନେଇଛି | ଏବେ କୌଣସି ଖେଳାଳି ଦିନିକିଆ ମ୍ୟାଚରେ ନିଜ ପାଇଁ ରନର୍ ନେଇ ପାରିବେ ନାହିଁ | ଖେଳରେ ସ୍ୱଚ୍ଛତା ରଖିବାକୁ ICCର କ୍ରିୟାନ୍ୱୟନ କମିଟି ଏହି ରନର୍ ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି |

Related Posts