ପିଏମ୍ ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରୁ ଗତ ୩ ବର୍ଷରେ ଆକାଶବାଣୀ ଏବଂ ଦୂରଦର୍ଶନର ଆୟ ୯୦% ହ୍ରାସ ପାଇଛି କାହିଁକି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ କାର୍ଯ୍ୟକ୍ରମରୁ ମିଳିଥିବା ରାଜସ୍ୱ ଗତ ତିନିବର୍ଷ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି।

 ସୂଚନା ଓ ପ୍ରସାରଣ (I&B) ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ସୋମବାର ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ମନ କି ବାତ୍ ୨୦୧୪ ମସିହାରେ ଆରମ୍ଭ ହେବା ଦିନଠାରୁ ୩୦.୮ କୋଟି ଟଙ୍କା ଆୟ କରିଛି।

 ରାଜ୍ୟସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିଜ୍ଞାପନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପାଇଁ ଅର୍ଜିତ ଆୟ ୨୦୧୭-୧୮ ରେ ୧୦.୬୪ କୋଟି ଟଙ୍କା ଥିଲା, କିନ୍ତୁ ୨୦୨୦-୨୧ ରେ ୧.୦୨ କୋଟି ଟଙ୍କାକୁ ହ୍ରାସ ପାଇଛି।  ୨୦୧୮-୧୯ ଏବଂ ୨୦୧୯-୨୦ ରେ, ଯଥାକ୍ରମେ ୭.୪୭ କୋଟି ଏବଂ ୨.୫୬ କୋଟି ଟଙ୍କା ଥିଲା ।

 ତେବେ ରାଜ୍ୟସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜସ୍ୱ ହ୍ରାସର କୌଣସି ନିର୍ଦ୍ଦିଷ୍ଟ କାରଣ କହି ନାହାଁନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ‘ ଶାସନ ପ୍ରସଙ୍ଗରେ ନାଗରିକଙ୍କ ସହ ସମ୍ବାଦ ସ୍ଥାପନ କରିବା।’

 PMO ଦ୍ବାରା ପରିଚାଳିତ ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ – ୩୪ ଟି ଦୂରଦର୍ଶନ ଚ୍ୟାନେଲ ଏବଂ ୯୧ ଟି ବେସରକାରୀ ସାଟେଲାଇଟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇଛି ଏବଂ ସମଗ୍ର ପାନ୍-ଇଣ୍ଡିଆ ରେଡିଓ ନେଟୱାର୍କ – ମୋଦୀଙ୍କ ସର୍ବ ବୃହତ ଜନସମ୍ପର୍କ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ।

ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରୋଗ୍ରାମର ସିଧାପ୍ରସାରଣ ହୋଇଥାଏ – ଦର୍ଶକ ବିଭିନ୍ନ ଭାଷାରେ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସବ-ଟାଇଟେଲ୍ ରେ ଏହା ଦେଖି ପାରିବେ। 

 ସରକାରୀ ଆକଳନ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ୧୧.୮  କୋଟି  ଦର୍ଶକ ଯୋଡି ହୋଇଛନ୍ତି ଏବଂ ୨୦୨୦ ରେ ୧୪.୩ ନିୟୁତ ଲୋକଙ୍କ ପାଖରେ ପହଞ୍ଚିଛି।  ପ୍ରସାର ଭାରତୀ – ଅଲ ଇଣ୍ଡିଆ ରେଡିଓ ଏବଂ ଡିଡିର ମୂଳ ସଂସ୍ଥା -୫୧ ଟି ଭାଷା ଏବଂ ଉପଭାଷାରେ ମାସିକ ରେଡିଓ ପ୍ରୋଗ୍ରାମକୁ ଅନୁବାଦ ଏବଂ ପୁନଃ ପ୍ରସାରଣ କରିଛି ।

ତେବେ ରାଜସ୍ୱ କାହିଁକି ହ୍ରାସ ହୋଇଛି ସେ ସମ୍ପର୍କରେ ଉତ୍ତର ପାଇଁ ଦ ପ୍ରିଣ୍ଟ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଏକ ପ୍ରଶ୍ନ କରାଯାଇଥିଲା, କିନ୍ତୁ ଏହି ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସରକାର ଏହାର କୌଣସି ପ୍ରତିକ୍ରିୟା ଦେଇ ନଥିଲେ। 

 ତେବେ ରାଜସ୍ୱ ହ୍ରାସ ନେଇ ଅଲ ଇଣ୍ଡିଆ ରେଡିଓର ଜଣେ ବରିଷ୍ଠ ଅଧିକାରୀ ଦି ପ୍ରିଣ୍ଟକୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରାଜସ୍ୱ ଉତ୍ପାଦନ ନୁହେଁ ଏବଂ ଜନସାଧାରଣ ତଥା ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ନାଗରିକଙ୍କ ଅଂଶଗ୍ରହଣ ଉପରେ ଧ୍ୟାନ ଦିଆଯାଉଛି।

 ଅଧିକାରୀ କହିଛନ୍ତି ଯେ ଦର୍ଶକଙ୍କ ପ୍ରୋଫାଇଲ୍ ଏବଂ ମନ କି ବାତ୍ ର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବ୍ୟବସାୟିକ ବିଜ୍ଞାପନ ଅପେକ୍ଷା ସାମାଜିକ ସନ୍ଦେଶ ବୃଦ୍ଧି ପାଇଛି।

 ମନ୍ କି ବାତ୍ କିପରି ରୋଜଗାର କରେ ?

 ମନ୍ କି ବାତ୍ କାର୍ଯ୍ୟକ୍ରମ ଟେଲିକାଷ୍ଟ ହେବା ସମୟରେ ଅଲ୍ ଇଣ୍ଡିଆ ରେଡିଓ ଏବଂ ଡିଡିରେ ପ୍ରସାରିତ ବିଜ୍ଞାପନ ମାଧ୍ୟମରେ ରାଜସ୍ବ ଆଦାୟ ହୋଇଥାଏ ।

 ସରକାରୀ ସୂତ୍ର ଅନୁଯାୟୀ ThePrint କହିଛି ଯେ ରାଜସ୍ୱ ହ୍ରାସ ପାଇବାର ଅନେକ କାରଣ ରହିଛି। ଏହାର ପ୍ରଥମ କାରଣ ହେଉଛି ମହାମାରୀ। ମିଡିଆ ଇଣ୍ଡଷ୍ଟ୍ରିରେ ବିଜ୍ଞାପନ ପ୍ରଭାବିତ ହୋଇଛି ଏବଂ DD ଓ ଅଲ ଇଣ୍ଡିଆ ରେଡିଓ କ୍ଷେତ୍ରରେ ଏହା ବ୍ୟତିକ୍ରମ ନୁହେଁ ।

 ମନ୍ କି ବାତ୍ ଉଭୟ ସରକାରୀ ଏବଂ ବେସରକାରୀ ଗ୍ରାହକଙ୍କଠାରୁ ବିଜ୍ଞାପନ ପାଆନ୍ତି । ଅଧିକାରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ବ୍ୟକ୍ତିଗତ ବିଜ୍ଞାପନରେ କ୍ରମାଗତ ହ୍ରାସ ଘଟିଥିବାବେଳେ ସରକାରୀ ବିଜ୍ଞାପନରେ ମଧ୍ୟ ସମାନ ଅବଧିରେ ହ୍ରାସ ଘଟିଛି।

 ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଅଲ୍ ଇଣ୍ଡିଆ ରେଡ଼ିଓ ଏବଂ ଡିଡି ର ଗ୍ରାହକ ସେବା ମଧ୍ୟ ଏକ ସମ୍ଭାବ୍ୟ କାରଣ।  ଅଧିକାରୀ କହିଛନ୍ତି ଯେ “ବେଳେବେଳେ ମାନ କି ବାତ୍ ପାଇଁ ନୁହେଁ,ଗ୍ରାହକଙ୍କୁ ଘଟଣାର ବିଶ୍ଳେଷଣ ତଥା ଅନ୍ୟାନ୍ୟ ସୋ ପ୍ରସାରଣ ସମୟରେ ମଧ୍ୟ ପର୍ଯ୍ୟାପ୍ତ ତଥ୍ୟ ପ୍ରଦାନ କରାଯାଇ ନ ପାରେ।” 

 ଅନ୍ୟ ଏକ ସୂତ୍ରରୁ ThePrint କହିଛି ଯେ ପ୍ରସାରଣ ପାଇଁ କିଛି ସ୍ଥାନୀୟ ଷ୍ଟେସନ ଏକତ୍ର ବନ୍ଧା ହୋଇଛି । ବିଶେଷ କରି ଛୋଟ ଷ୍ଟେସନ ଦ୍ୱାରା ମିଳିଥିବା ରାଜସ୍ୱ ପ୍ରଭାବିତ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ।

 ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚରେ ପ୍ରସାର ଭାରତୀର ମୋଟ ନିଟ୍ ଆୟ ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ଅଧା ହୋଇଯାଇଥିଲା( ୨୦୨୦-୨୧ ର ଶେଷ ତ୍ରୟ ମାସିକ ତଥ୍ୟକୁ ବାଦ ଦିଆଯାଇଛି )

Related Posts