୫ ଦିନିଆ ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି : ୨୪ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ବିପା‌କ୍ଷିକ ଆଲୋଚନା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ‌ମୋଦୀ ଆମେରିକା ଗସ୍ତରେ ରହିବେ। ଏ ନେଇ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା। ସେପ୍ଟେମ୍ବର ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ବିପା‌କ୍ଷିକ ଆଲୋଚନା କରିବେ ମୋଦୀ । ସମ୍ପ୍ରତି ଆଫଗାନିସ୍ତାନରେ ଦେଖାଦେଇଥିବା ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଗସ୍ତରେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସାକ୍ଷାତ କରିବେ ପିଏମ୍ ମୋଦୀ। ଆଫନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଏବେ ଆତଙ୍କବାଦ ଧୀରେ ଧୀରେ ମୁଣ୍ଡ ଟେକିଛି । ଆଉ ତାଲିବାନ ସରକାର ଜରିଆରେ ଆତଙ୍କବାଦ ସାର ବିଶ୍ୱରେ ସକ୍ରିୟ ହେବା ନେଇ ଆଶଙ୍କା ବୃଦ୍ଧି ପାଉଛି । ମୋଦି କ୍ୱାଡ ରାଷ୍ଟ୍ରଗୁଡ଼ିକକୁ ନେଇ ଆୟୋଜିତ ସମ୍ମିଳନରେ ମଧ୍ୟ ଯୋଗଦେବେ। କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସୂଚନା

ସେପ୍ଟେମ୍ବର ୨୨ରେ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗଦେବେ। ଏହା ପରଦିନ ଅର୍ଥାତ୍ ୨୩ ରେ ସେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ସେ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ଆଲୋଚନା କରିବେ। ମୋଦିଙ୍କ ପାଇଁ ସେହିଦିନ ବାଇଡେନ ଡିନର ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି। ୨୪ ତାରିଖରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ସେପ୍ଟେମ୍ବର ୨୫ରେ ମୋଦି ୱାଶିଂଟନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରିବା ପରେ ନ୍ୟୁୟର୍କ ଗସ୍ତ କରିବେ। ସେଠାରେ ଆୟୋଜିତ ୭୬ତମ ମିଳିତ ଜାତିସଂଘର ସାଧାରଣ ଆସେମ୍ବ୍ଲିରେ ସାରା ବିଶ୍ୱକୁ ସମ୍ବୋଧନ କରିବେ। ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭାରିତ ପ୍ରତ୍ଯାବର୍ତ୍ତନ କରିବେ। 

Related Posts