ନେହରୁ ସାଂଗିଆ ରଖିବାରେ ଗାନ୍ଧି ପରିବାର କାହିଁକି ଲାଜ କରୁଛନ୍ତି?: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୯/୨ (ସତ୍ୟପାଠ ବ୍ୟୁରୋ): ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି ଗାନ୍ଧି ପରିବାରକୁ ଶାଣିତ ସମାଲୋଚନା କରିଛନ୍ତି ମୋଦି । ସେ କହିଛନ୍ତି ଯେ, ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ ‌ଥିଲେ ତେବେ ତାଙ୍କ ପରିବାର ଲୋକେ କାହିଁକି ‘ନେହରୁ’ ସାଂଗିଆ ରଖିଲେ ନାହିଁ। ଆଜି ରାଜ୍ୟ ସଭାରେ ନିଜ ଅଭିଭାଷଣ ରଖୁଥବା ବେଳେ କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ କିଛି ଯୋଜନାରେ ନାମକୁ ନେଇ ଆପତ୍ତି ଉଠାଯାଉଛି।

କୁହାଯାଉଛି ନାମରେ କିଛି ସଂସ୍କୃତି ଛାପ ରହୁଛି। ଏଥିରେ କିଛି ଲୋକଙ୍କୁ ସମସ୍ୟା ହେଉଛି। ମୋଦି କହିଛନ୍ତି ଯେ, ମୁଁ କୌଣସି ଏକ ଖବରକାଗଜରେ ପଢ଼ିଥିଲି ସରକାରଙ୍କ ୬୦୦ ଯୋଜନା କେବଳ ଗାନ୍ଧି ପାରିବାର ନାମରେ ଅଛି। ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାମରେ ଉଲ୍ଲେଖ ନାହିଁ କିଛି ଲୋକଙ୍କ କେଶ ଠିଆ ହୋଇଯାଏ। ତାଙ୍କର ରକ୍ତ ଗରମ ହୋଇଯାଏ। କାହିଁକି ନେହରୁଙ୍କ ନାମ ଉଲ୍ଲେଖ ହେଲା ନାହିଁ। ମୋଦି କହିଛନ୍ତି ଯେ, ମୋତେ ଖୁବ ଆଶ୍ଚର୍ଯ୍ୟ କରିଛି , ହୁଏତ ଆମ ଦ୍ୱାରା ନେହରୁଙ୍କ ନାମ ଖସିଯାଉଛି, ଯଦି ଖସିଯାଉଛି ତେବେ ଆମେ ଠିକ୍ କରିଦେବୁ । କାହିଁକି ନା ସେ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ।

କିନ୍ତୁ ମୁଁ ବୁଝିପାରୁ ନାହିଁ ତାଙ୍କ ପରିବାର, ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସାଂଗିଆ ରଖିବାକୁ କାହିଁକି ଭୟ କରୁଛନ୍ତି। କାହିଁକି ଏହି ସାଂଗିଆ ସହ ସେମାନେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି। ନେହରୁ ସାଂଗିଆ ରଖିବାକୁ ଏତେ ଦ୍ୱିଧା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତେ ବଡ଼ ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆପଣଙ୍କୁ ମଞ୍ଜୁର ନାହିଁ, ତାଙ୍କ ନିଜ ପରିବାରକୁ ମଞ୍ଜୁର ନାହିଁ ଏବେ ଆପଣ ଆମକୁ ହିସାବ ମାଗୁଛନ୍ତି କହି ମୋଦି କଂଗ୍ରେସକୁ କଟାକ୍ଷ କରିଥିଲେ। ସେପଟେ ଆଜି ବି ପୁଣି ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ।

Related Posts