ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ର୍ନିବାଚନ ସମୟରେ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ମାଗଣା ଯୋଜନା ଏବଂ ପ୍ରତିଶ୍ରୁତି ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା କହିଛନ୍ତି ଯେ କେନ୍ଦ୍ର ସରକାର କାହିଁକି ଏହି ପ୍ରସଙ୍ଗରେ ବିଚାର କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରୁ ନାହାନ୍ତି।ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଏହି ପ୍ରସଙ୍ଗରେ ସୋଲିସିଟର ଜେନେରାଲ ଏସ.ଜି ମେହେଟ୍ଟା କୋର୍ଟ ଙ୍କୁ କହିଛନ୍ତି ଯେ, ମାମଲା ଏବେ ଆପଣଙ୍କ ସମ୍ମୁଖରେ ରହିଛି। ସରକାର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂ କମିଟି ଗଠନ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆରଏମ ଲୋଡାଙ୍କ ନାମ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ସୋଲିସିଟର ଜେନେରାଲ କମିଟି ଗଠନ ପାଇଁ ପୂର୍ବତନ ସୋଲିସିଟର ଜେନେରାଲ ବିନୋଦ ରାୟଙ୍କ ନାମ ଉପସ୍ଥାପନ କରିଥିଲେ।

ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ହିମା କୋହଲି ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ରମନା କହିଛନ୍ତି, ମୁଁ ଏହି ମାମଲାକୁ ଏକ ନୂତନ ବେଞ୍ଚକୁ ପଠାଉଛି, ଯାହା ମନିଫେଷ୍ଟୋ ମାମଲାରେ ଦିଆଯାଇଥିବା ପୂର୍ବ ନିଷ୍ପତ୍ତି ଉପରେ ଦୃଷ୍ଟି ଦେବେ। ସିଜେଆଇ ଆହୁରି କହିଛନ୍ତି, ସବୁଠାରୁ ବଡ ସମସ୍ୟା ହେଉଛି କମିଟିର ନେତୃତ୍ୱ କିଏ ନେବେ। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ସିଜେଆଇ କହିଛନ୍ତି ଯେ ଆଜିର ବିରୋଧୀ ଦଳ ଆସନ୍ତାକାଲି କ୍ଷମତାକୁ ଆସିପାରେ। ସେମାନେ ଶାସନକୁ ପରିଚାଳନା କରିବେ। ତେଣୁ ମାଗଣା ଉପହାର ଯାହା ଅର୍ଥନୀତିକୁ ନଷ୍ଟ କରିପାରେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ତେଣୁ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ସିଜେଆଇ କହିଛନ୍ତି।