‘ପିଲା କାହିଁକି ଜନ୍ମ କରୁଥିଲ ?’; ସ୍କୁଲର ସମସ୍ୟା ନେଇ ଯାଇଥିବା ଅଭିଭାବକଙ୍କୁ ବିଜେପି ସାଂସଦଙ୍କ ଜବାବ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ବିଜେପି ସାଂସଦ ରମେଶ ବିଘୁଡି ନିଜର ଏକ ବୟାନକୁ ନେଇ ଏବେ ବିବାଦ ଘେରକୁ ଚାଲି ଆସିଛନ୍ତି। ସ୍କୁଲର ସମସ୍ୟା ନେଇ ତାଙ୍କ ପାଖକୁ ଆସିଥିବା ଅଭିଭାବକ ମାନଙ୍କୁ ଖରାପ ବ୍ୟବହାର କରୁଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓକୁ ଦିଲ୍ଲୀ ଆମ ଆଦମୀ ପାର୍ଟିର ବିଧାୟକ ସଂଜୀବ ଝା ଟ୍ୱିଟ୍ କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନା ଅନୁସାରେ, ସ୍ଥାନୀୟ ଏକ ସ୍କୁଲର କିଛି ସମସ୍ୟାକୁ ନେଇ ଅଭିଭାବକମାନେ ଯାଇଥିଲେ ସାଉଥ୍ ଦିଲ୍ଲୀର ବିଜେପି ସାଂସଦ ରମେଶ ବିଘୁଡିଙ୍କ ପାଖକୁ ଯାଇଥିଲେ। ସ୍କୁଲର ସମସ୍ୟା କହିବା ସହ ସେମାନେ କିଛି ଦାବି ରଖିବାରୁ ରାଗିଯାଇଥିଲେ ସାଂସଦ । ଆଉ ଏପରି କିଛି କହିଥିଲେ ଯାହାକୁ ନେଇ ବିଜେପି ଓ ଆପ୍ ନେତା ମୁହାଁମୁହିଁ ହୋଇଛନ୍ତି। ଅଭିଭାବକ ମାନଙ୍କ ଅଭିଯୋଗ ଶୁଣିବା ପରେ ସାଂସଦ ଜଣକ ସେମାନଙ୍କୁ ଖରାପ ବ୍ୟବହାର କରିଥିଲେ। ‘ଯଦି ପିଲାଙ୍କୁ ସମ୍ଭାଳିପାରୁନ ତାହେଲେ ପିଲା କାହିଁକି ଜନ୍ମ କରୁଥିଲ’ ବୋଲି କହି ଅଭିଭାବକ ମାନଙ୍କୁ ଗାଳି କରିଥିଲେ ସାଂସଦ । ତେବେ ଏହି ଘଟଣା ସମୟର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଏଭଳି ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆପ ।

Related Posts