ଖାଲି ହାତରେ ପାଇଖାନା ସଫା କଲେ ବିଜେପି ସାଂସଦ, ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ବିଜେପିର ସେବା ପଖୱାଡା କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍କୁଲର ଅପରିଷ୍କାର ପାଇଖାନା ଦେଖିଥିଲେ ବିଜେପି ସାଂସଦ ।ଏପରି ଅବସ୍ଥା ଦେଖି ବ୍ରସ୍ କି ଗ୍ଲୋବସ୍ ଆଣିବା ଯାଏଁ ସେ ଅପେକ୍ଷା କରିନଥିଲେ । ଖାଲି ହାତରେ ପାଇଖାନା ସଫା କରିଦେଇ ସମସ୍ତଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି ସାଂସଦ ମହୋଦୟ । ଅନେକ ସମୟରେ ବିବାଦରେ ରହିଆସୁଥିବା ମଧ୍ୟପ୍ରଦେଶର ରିବା ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । କାରଣ ଏହି ଭିଡିଓରେ ସାଂସଦ ମହାଶୟ ଖାଲି ହାତରେ ପାଇଖାନା ସଫା କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ, ସାଂସଦ ଜନାର୍ଦ୍ଦନ ମିଶ୍ରା ରିବା ଜିଲ୍ଲାର ଏକ ବାଳିକା ବିଦ୍ୟାଳୟକୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହି ଅବସରରେ ସ୍କୁଲ ପରିଦର୍ଶନ କରୁକରୁ ତାଙ୍କ ନଜରରେ ସ୍କୁଲର ପାଇଖାନା ପଡିଥିଲା, ଯାହା ଅତି ଅପରିଷ୍କାର ହୋଇଥିଲା । ସାଙ୍ଗେ ସାଙ୍ଗେ ଏହାକୁ ନିଜେ ସଫା କରିବାକୁ ନିଷ୍ପତ୍ତି ନେଲେ । ବ୍ରସ୍ କି କ୍ଲିଞ୍ଜର ଆଣିବା ଯାଏଁ ଆଉ ଅପେକ୍ଷା ନକରି ଖାଲି ହାତରେ ହିଁ ପାଇଖାନାକୁ ସଫା କରିପକାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପାଇଖାନା ସଫା କରିବାରେ ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ପାଇଁ ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ଅନ୍ୟ କିଛି ସ୍ଥାନରେ ପାଇଖାନା ସଫା କରିବାର ଖବର ରହିଛି ।

Related Posts