ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଶଶି ଥରୁର ନିଜ ନିର୍ବାଚନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଥରୁର । ତେବେ ସେ କୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପରେ ଏଥିରୁ ଓହରନ୍ତି ନାହିଁ। ଏହି ଲଢେଇ ଏକ ବନ୍ଧୁତାପୂର୍ଣ୍ଣ ଲଢେଇ ଓ ସେ ଏହି ଲଢେଇରେ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ ବୋଲି କହିଛନ୍ତି ଶଶି ଥରୁର।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁର ଓ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଲଢେଇ ହେବ । ମାତ୍ର ଏହି ସମୟରେ ଥରୁର ନିର୍ବାଚନରୁ ଓହରିଯାଇଥିବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ପ୍ରତିକ୍ରିୟା ରଖି ଥରୁର କହିଛନ୍ତି, “ମୁଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ଦିଲ୍ଲୀରେ ଗୁଜବ ଶୁଣିବାକୁ ମିଳିଛି । ତେବେ ଆପଣଙ୍କୁ ସ୍ପଷ୍ଟ କରୁଛି ଯେ ମୁଁ ମୋ ଜୀବନରେ କୌଣସି ଚ୍ୟାଲେଞ୍ଜରୁ ଓହରି ନାହିଁ କି ଓହରିବି ନାହିଁ ।” ଟ୍ବିଟରରେ ସେ ଏକ ଭିଡ଼ିଓ ସେୟାର କରି ଏହା ସ୍ପଷ୍ଟ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, “ଏହା ଏକ ସଂଘର୍ଷ । ଦଳ ମଧ୍ୟରେ ଏହା ଏକ ବନ୍ଧୁତାପୂର୍ଣ୍ଣ ପ୍ରତିଯୋଗିତା । ଶେଷ ପର୍ଯ୍ୟନ୍ତ ଲଢେଇ ହେବ । ଅକ୍ଟୋବର ୧୭ରେ ଆସି ଦୟାକରି ଭୋଟ ଦିଅନ୍ତୁ । ଆସନ୍ତାକାଲି ସମ୍ପର୍କରେ ଭାବନ୍ତୁ, ଥରୁର ବିଷୟରେ ଭାବନ୍ତୁ ।” ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ସେ ଏହି ଭିଡ଼ିଓ ଜାରି କରିଛନ୍ତି । କଂଗ୍ରେସର ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ରହିଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୧୭ ତାରିଖରେ ଏହି ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ହେବା ବେଳେ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ । ପ୍ରାୟ ୯ ହଜାରରୁ ଅଧିକ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ଏହି ନିର୍ବାଚନରେ ଭୋଟ ଦେବେ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଶୁକ୍ରବାର ଥରୁର ନିଜ ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିଛନ୍ତି । ଏଥିରେ ସେ ୧୦ଟି ମୁଦ୍ଦା ଉଠାଇଥିବା ବେଳେ ନିର୍ବାଚନ ଜିତିଲେ ଏହାକୁ ଲାଗୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା କରିବା ଲାଗି ଦଳକୁ ସକ୍ରିୟ, ଦୃଢ କରିବେ ବୋଲି ସେ କହିଛନ୍ତି । ବୁଥ ସ୍ତରରେ ଦଳକୁ ମଜଭୁତ କରିବା, ରାଷ୍ଟ୍ର ନିର୍ମାଣ ଗତିବିଧି ପାଇଁ ମହାସଚିବଙ୍କ ସାହାଯ୍ୟ ଲୋଡ଼ିବା, ରାଜ୍ୟ ଅଧ୍ୟକ୍ଷଙ୍କୁ ସେମାନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୀମିତ ନ ରଖି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ମତ ରଖିବା ଲାଗି ସ୍ବତନ୍ତ୍ରତା ଦେବା ଆଦି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।