ଶୀତ ଅଧିବେଶନ; ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ, ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡିଶା ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବାର ଅଧିନିୟମ-୧୯୯୩ ପ୍ରଣୟନ କରାଯାଇ ଏଯାବତ କାର୍ଯ୍ୟକାରୀ ହୋଇ ଆସୁଅଛି। ଇତିମଧ୍ୟରେ ଅଗ୍ନିଶମ ସେବାର କାର୍ଯ୍ୟ ପରିସର, ଦାୟିତ୍ବବୋଧ ଆଶାତୀତ ଭାବେ ବୃଦ୍ଧି ହୋଇଅଛି। ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧନ ଆଦର୍ଶ ବିଲ୍‌ ପ୍ରସ୍ତୁତ କରି ସମସ୍ତ ରାଜ୍ୟମାନଙ୍କୁ ସୁପ୍ରଚଳିତ ଅଧିନିୟମ ତଥା ନିୟମାବଳିକୁ ଆବଶ୍ୟକ ମତେ ସଂଶୋଧନ କରିବା ନି‌ମନ୍ତେ ଅନୁରୋଧ କରିଅଛନ୍ତି। ତଦନୁଯାଇ ଓଡିଶା ଅଗ୍ନିଶମ ସେବା ଅଧୁନିୟମ, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ, ଯଥା ଓଡିଶା ଅଗ୍ନିଶମ ସେବା (ସଂଶୋଧନ ) ବିଲ, ୨୦୨୨, ନିମ୍ନଲିଖତ ବ୍ୟବସ୍ଥା ଥାଇ ପ୍ରସ୍ତୁତ କରାଯାଇଅଛି।

ଉକ୍ତ ଚିଠା ବିଲରେ ଓଡିଶା ଅଗ୍ନିଶମ ଓ ଜରୁରୀସେବାକୁ ସୁଦୃଢ କରିବାପାଇଁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବାର ପ୍ରସ୍ତାବ ଅଛି। ଏହା ମଧ୍ୟ ପ୍ରସ୍ତାବ ଅଛି ଯେ, ଏହି ଅଧିନିୟମର ଯଥାଯଥ ଉପଯୋଗ ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶକ ତାଙ୍କ କ୍ଷମତାର କିଛି ଅଂଶ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ। ନୀୟମାନୁଯାୟୀ ଅଗ୍ନିସୁରକ୍ଷା ନିରୀକ୍ଷକ ନିଯୁକ୍ତି ନ କଲେ ଦଣ୍ଡର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଅଛି। ପ୍ରଚଳିତ ବିଧି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପି, ଅଗ୍ନିନିର୍ବାପନ କାର୍ଯ୍ୟରେ ଜାଣିଶୁଣି ବାଧା ପହଞ୍ଚାଇବା ଏବଂ ଅଗ୍ନିକାଣ୍ଡ ସଂପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ପାଇଁ ନ୍ୟୁନତମ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବାରୁ ତାହାକୁ ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

କମ୍ପାନୀ ମାନଙ୍କୁ ଓଡିଶା ଅଗ୍ନିଶମ ସେବା ଅଧିନିୟମ ପରିସର ଭୁକ୍ତ କରି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାରେ ବିଫଳ ହେଲେ, ଦଣ୍ଡ ବିଧାନ କରିବା ନିମନ୍ତେ ପ୍ରସ୍ତାବ ଅଛି। ପ୍ରସ୍ତାବିତ ସଂଶୋଧନ ବିଲ୍‌ରେ ବିବାଦ ଗୁଡ଼ିକରେ ଆପୋଷ ସବାଧାନର ଏକ ନୂତନ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ଦିଆଯାଇଅଛି। ପରନ୍ତୁ, ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରଧିକୃତ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି କିମ୍ବା ଆଦେଶ ଅଥବା ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ, ଏହା ଆପୋଷ ସମାଧାନ ଭୁକ୍ତ ହୋଇପାରିବ ନାହିଁ।

ଅଗ୍ନି ନିବାରଣ ବା ଅଗ୍ନି ନିର୍ବାପନ ସଂବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ବିଚାର କରାଯିବାର ବ୍ୟବସ୍ଥା ରହିଅଛି। ଏତଦବ୍ୟତୀତ, ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲଂଘନ ଜନିତ ଅପରାଧକୁ ଧାନକୁ ନେବେ ନାହିଁ ।

ଅଗ୍ନିଶମ ସେବା ଅଧୁନିୟମ କାର୍ଯ୍ୟକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକର ନିର୍ଦ୍ଧିଷ୍ଠ ସମୟ ସୀମାରେ ଅନାୟାସ ସମାଧାନ ନିମନ୍ତେ ଏହି ଅଧିନିୟମରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଦ୍ୱିତୀୟ ଅପିଲ କର୍ତ୍ତୃପକ୍ଷ ବ୍ୟବସ୍ଥା ରହିଅଛି।

Related Posts