ରାମ ମନ୍ଦିର ନିର୍ମାଣ ଚାଲିଛି ହେଲେ ବିଜେପି ପାଇଁ ଅଯୋଧ୍ୟା ବିଜୟ କଷ୍ଟକର ହେବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିସାରିଲେଣି । କ୍ଷମତାକୁ ଆସିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । କିଏ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ସ୍ମିମ ଘୋଷଣା କରୁଛି ତ ଆଉ କିଏ ନେତାମାନଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ସେପଟେ ଶାସକ ଦଳ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିରକୁ ଏକ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବାରେ ଲାଗିଛି । ଏପରିକି ଏହାକୁ ନେଇ ଭୋଟ ପାଇବାର ଆଶା ମଧ୍ୟ ଶାସକ ଦଳ ରଖିଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ଅଯୋଧ୍ୟା ନିର୍ବାଚନମଣ୍ଡଳୀରେ ୩.୭୯ ଲକ୍ଷ ଭୋଟର ଥିବାବେଳେ ଦଳିତମାନେ ୬୫ ହଜାର ଭୋଟରଙ୍କ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଅର୍ଥାତ ବ୍ରାହ୍ମଣମାନେ ୪୦ ହଜାର ଅଛନ୍ତି । ସେହିପରି ମୁସଲମାନ ଓ ଯାଦବ ଭୋଟରଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ । ଏହା ଛଡ଼ା ଅଗ୍ରୱାଲ, କୁର୍ମି, ନିଶାଦ, ମୌର୍ଯ୍ୟ, ରାଜଭାର ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଭୋଟରମାନେ ମଧ୍ୟ ଅଯୋଧ୍ୟାରେ ଅଛନ୍ତି ।

ଏସବୁ ମଧ୍ୟରେ ଯାଦବ ଓ ମୁସଲମାନମାନେ ପାରମ୍ପାରିକ ଭାବରେ ସମାଜବାଦୀ ପାର୍ଟିର ଭୋଟର ଅଟନ୍ତି । ଯାହା ଭାରତୀୟ ଜନତା ପାର୍ଟି ପାଇଁ ଚିନ୍ତାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ଚାକିରି ଏବଂ ବଢ଼ୁଥିବା ଦରକୁ ନେଇ ଯୋଗୀ ସରକାରଙ୍କ ଉପରେ ଅନେକ ଲୋକ ଅସନ୍ତୋଷ ଅଛନ୍ତି । ଏହା ମଧ୍ୟରେ ବିଜେପି ନେତାଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଯୋଗୀ ସରକାର ରାମ ମନ୍ଦିର ନିର୍ମାଣ କରିବା ବ୍ୟତୀତ ଗରୀବ ଓ କୃଷକମାନଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରିଛନ୍ତି । ଏହା ସହ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ବିଦ୍ୟୁତ ଯୋଗାଣ, ରାସ୍ତା ପ୍ରଶସ୍ତିକରଣ ଏବଂ ନଦୀ ଘାଟର ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟ କରାଯାଇଛି । ଶେଷ ମତଦାନ ପର୍ଯ୍ୟନ୍ତ ରାମ ମନ୍ଦିର ଆମର ଦୀର୍ଘ ଦିନର ପ୍ରତିବଦ୍ଧତା ଥିଲା । କିନ୍ତୁ ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଦ୍ୱାରା ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କର ବିଶ୍ୱାସ ବଢ଼ିଛି ବୋଲି ବିଜେପି ନେତା କହିଛନ୍ତି ।

ହେଲେ ଏଥର ଏସବୁ ମୁଦ୍ଦା ଭୋଟ ପାଇଁ କାମ ଦେବକି ? ବୋଲି ପ୍ରଶ୍ନ ଉଠିଛି । କାହିଁକିନା ଅଯୋଧ୍ୟାରେ ଦଳିତମାନେ ଅଧିକ ଅଛନ୍ତି । ଅର୍ଥାତ କୃଷି ଆଇନ ହେଉ କିମ୍ବା ଦଳିତଙ୍କୁ ନେଇ ନ୍ୟାୟ କଥା ହେଉ, ଏସବୁ ପାଇଁ ଶାସକ ଦଳ ପ୍ରତି ଦଳିତମାନେ ଖପ୍ପା ଅଛନ୍ତି । ସେପଟେ ମୁସଲମାନ ଓ ଯାଦବମାନଙ୍କର ଭୋଟ ସାମାଜବାଦୀ ପାର୍ଟି ପକ୍ଷରେ ଢ଼ଳିବାରେ ଲାଗିଛି । ତେଣୁ ଏଥର ରାମମନ୍ଦିର ପ୍ରସଙ୍ଗ ଭାରତୀୟ ଜନତା ପାର୍ଟି ପାଇଁ ବିଶେଷ ସହାୟକ ହେବ ନାହିଁ । କୁହାଯାଉଛି ରାମ ମନ୍ଦିର ନିର୍ମାଣ ଚାଲିଛି ହେଲେ ବିଜେପି ପାଇଁ ଅଯୋଧ୍ୟା ବିଜୟ କଷ୍ଟକର ହେବ । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏଥର ଅଯୋଧ୍ୟାରେ ବାଜି କିଏ ମାରୁଛି ?

Related Posts