ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି, ଶେଷରେ ରାଉରକେଲା ଫେରିଗଲେ ମୁକ୍ତିକାନ୍ତ ବିଶ୍ବାଳ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ମୁକ୍ତିକାନ୍ତଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ ସୁରକ୍ଷା ଦେଇ ରାଉରକେଲା ପର୍ଯ୍ୟନ୍ତ ଯାଇଛନ୍ତି। ରାଉରକେଲା ଷ୍ଟେସନରେ ମୁକ୍ତିକାନ୍ତ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇ ପୁଲିସ ସେଠାରୁ ଫେରି ଆସିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ସମ୍ଭବ ନ ହେବା ପରେ ବୁଧବାର ଶିଶୁଭବନ ଛକ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ ମୁକ୍ତିକାନ୍ତ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ ଭେଟିଲେ ସେ ହୋର୍ଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ୫ ଘଣ୍ଟାର କସରତ ପରେ ମୁକ୍ତିକାନ୍ତଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଚାଲିଥିବାବେଳେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଡାକ୍ତର ମତ ଦେଇଥିଲେ।
ପ୍ରକାଶଥାଉକି ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଚଳିତ ମାସ ୧୪ ତାରିଖରେ ରାଜଧାନୀରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍ କାନ୍ଧରେ ବୋହି ଆଣିଥିଲେ। କିନ୍ତୁ ମୁକ୍ତିକାନ୍ତଙ୍କ ଦେଖା ମୁଖମନ୍ତ୍ରୀଙ୍କ ସହିତ ହୋଇ ପାରି ନ ଥିଲା। ଶେଷରେ ସେ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।
