5-ଟି ସାରଙ୍କ ବିଜେ ପୂର୍ବରୁ ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ

ଭଦ୍ରକ: 5-ଟି ସାରଙ୍କ ବିଜେ ପୂର୍ବରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଡାକ୍ତରଖାନା ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କଲେ ମହିଳା । କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ ଘଟଣା ପରେ ଭଦ୍ରକ ଘଟଣା 5-ଟିର କାର୍ଯ୍ୟକାରିତା ଉପରେ ଲଗାଇଛି ଗଭୀର ପ୍ରଶ୍ନ ଚିହ୍ନ । ତିହିଡି ବ୍ଲକ୍‌ ତଳଡୁମୁଳା ଗାଁର ଅନ୍ତସତ୍ତ୍ୱା ମହିଳା ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବା ପରେ ଅବସ୍ଥା ଗୁରୁତର ଅଛି କହି ଡାକ୍ତର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଗର୍ଭଯନ୍ତ୍ରଣା ହେଉଥିବା ବେଳେ ମହିଳା ପ୍ରସୂତି ଓ୍ଵାର୍ଡରୁ ବାହାରି ଆସିଥିଲେ । କିନ୍ତୁ ଆଉ ଯନ୍ତ୍ରଣା ସହି ନପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡା ବସିପଡ଼ି ଛଟପଟ ହୋଇଥିଲେ। ଏହି ସମୟରେ ହସ୍‌ପିଟାଲ ବାରଣ୍ଡାରେ ହିଁ ସେ ପ୍ରସବ କରିବା ପାଇଁ ବାଧ୍ୟ ହୋଇଥିଲେ। ହସ୍ପିଟାଲ ବରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ ସମୟରେ ସେଠାରେ ଡାକ୍ତର କିମ୍ବା ନର୍ସ କେହି ନଥିବା ପ୍ରସୂତିଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ସ୍ଥାନୀୟ ମହିଳାଙ୍କ ସହଯୋଗରେ ଅନ୍ତସତ୍ତ୍ୱାଙ୍କ ପ୍ରସବ କରାଯାଇଥିଲା । ଅନ୍ୟପଟେ ‘ମୋ ସରକାର’ର ସମୀକ୍ଷା ପାଇଁ 5-ଟି ସଚିବଙ୍କ ଭଦ୍ରକ ଗସ୍ତ ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚେଇଁ ଉଠିବା ଏବଂ ମେଡିକାଲରେ କେଉଁଠି ଫଳକ ଲଗାଇବା ତ କେଉଁଠି ରଙ୍ଗ କରାଯିବା ବଡ ବାବୁଙ୍କୁ ସନ୍ତୁଷ୍ଟି କରିବାକୁ କରାଯାଇଥିବା କୁହାଯାଉଛି । ସେପଟେ ପ୍ରସୂତିଙ୍କୁ ମେଡିକାଲରେ ଗୋଟିଏ ବେଡ ନମିଳିବା ଘଟଣା ଦର୍ଶାଉଛି 5-ଟିକୁ କେବଳ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ।

ଗର୍ଭଯନ୍ତ୍ରଣା ହେଉଥିବା ବେଳେ ମହିଳାଙ୍କୁ ପ୍ରସୂତି ଓ୍ଵାର୍ଡରୁ ବାହାର କରାଗଲା କାହିଁକି ?

ହସ୍ପିଟାଲ ବାରଣ୍ଡାରେ ଗର୍ଭ ଯନ୍ତ୍ରଣାରେ ମହିଳା ଛଟପଟ ହେଉଥିବା ବେଳେ ତାଙ୍କୁ ଡାକ୍ତର ଦେଖିଲେ ନି କାହିଁକି ?

ରୋଗୀଙ୍କୁ ଛାଡ଼ି ମେଡିକାଲ କର୍ତ୍ତୃପକ୍ଷ 5-ଟି ସାରଙ୍କ ସ୍ବାଗତ ପ୍ରସ୍ତୁତିରେ ଲାଗିଥିଲେ କି ?

Related Posts