ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଭଦ୍ରକ ଏସପିଙ୍କୁ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ମାନବାଧିକାର କମିସନ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଭଦ୍ରକ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଭଦ୍ରକ ଜିଲ୍ଲା ହରିପୁର ଅଞ୍ଚଳର ମନୋରମା ବାରିକ ନାମକ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ | ଆଉ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନରେ ଏନ.ଏଚ.ଆର.ସି କେସ ନମ୍ବର ୧୬୧୦୦/ଇନ/୨୦୨୨ କେଶ ଦାଏର କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ସମ୍ପୃକ୍ତ ମହିଳା ମନୋରମା ବାରିକଙ୍କ କହିବା ମୁତାବକ ଗତ ୨୩ ବର୍ଷ ତଳେ ସମ୍ପୃକ୍ତ ମହିଳା ଅସଦାଚରଣର ଶିକାର ହୋଇଥିଲେ ଏବଂ ଏ ବାବଦରେ ମାମଲା ହୋଇଥିଲା | ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଜାଣିଶୁଣି ଗିରଫ କରିନଥିବାବେଳେ ସମ୍ପୃକ୍ତ ମହିଳାଙ୍କ ଭାଇ ପ୍ରତିବାଦ କରିବାରୁ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କ ଭାଇଙ୍କୁ ହତ୍ୟା କରିଥିଲେ।

ଏ ସମସ୍ତ ମାମଲାରେ ସେ ବାସୁଦେବପୁର ପୁଲିସ, ଜିଲ୍ଲା ଏସପି, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇଥିଲେ ବି ନ୍ୟାୟ ମିଳିଲା ନାହିଁ। ଶେଷରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ସମ୍ପୃକ୍ତ ମହିଳା ମନୋରମା ବାରିକ ଆତ୍ମାହୁତି ଉଦ୍ୟମ କରିଥିଲେ । ଉକ୍ତ ଘଟଣାର ବିଚାର କରି ଭଦ୍ରକ ଜିଲ୍ଲା ଏସପିଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦେବାପାଇଁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି

Related Posts