କୋଭିଡ୍-19 ଯୋଗୁଁ ହୋଇଥିବା ଲକଡାଉନ୍ କାରଣରୁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ମହିଳାଙ୍କ ପୁଷ୍ଟି କମିଛି: ୟୁଏସ୍ ଷ୍ଟଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ ବର୍ଷ ଭାରତରେ କୋଭିଡ -19 ମହାମାରୀର ପ୍ରବେଶ ପରେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିଲା। ଏଥିରୁ ରକ୍ଷା ପାଇବା କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ। ଏହି ତାଲାବନ୍ଦର ପ୍ରଭାବ ବିଶେଷ କରି ମହିଳାଙ୍କ ଉପରେ ପଡ଼ିଛି। ଆମେରିକାର କିଛି ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଷ୍ଟଡିରେ କୁହାଯାଇଛି ଯେ ଗତ ବର୍ଷ ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ୍ ପାଇଁ ମହିଳାଙ୍କ ଶରୀରରେ ପୁଷ୍ଟିର ମାତ୍ରା ହ୍ରାସ ପାଇଛି। ଭାରତରେ ବିଭିନ୍ନ ସ୍ଥାନରେ ହୋଇଥିବା ଏହି ଅଧ୍ୟୟନରେ ଓଡ଼ିଶାର କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ରହିଛି। ଇକୋନୋମିଆ ପଲିଟିକାଲ ଜର୍ଣ୍ଣାଲରେ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶିତ ହୋଇଛି।

ଟାଟା-କର୍ଣ୍ଣେଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫର୍ ଆଗ୍ରିକଲଚର ଏବଂ ନ୍ୟୁଟ୍ରିସନ ସଂସ୍ଥା ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ୨୦୧୯ ମେ ମାସ ତୁଳନାରେ ୨୦୨୦ ମେ ମାସ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ଭାରତର ତିନୋଟି ରାଜ୍ୟର ଆର୍ଥିକ ଭାବରେ ପଛୁଆ ଥିବା ତିନି ରାଜ୍ୟର ଜିଲ୍ଲାଗୁଡ଼ିକୁ ନେଇ ଏହି ଅଧ୍ୟୟନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ଉତ୍ତରପ୍ରଦେଶର ମହାରାଜଗଞ୍ଜ, ବିହାରର ମୁଙ୍ଗେର ଏବଂ ଓଡ଼ିଶାର କଳାହାଣ୍ଡି ଏବଂ କନ୍ଧମାଳ ରହିଛି।

ଅଧ୍ୟୟନରୁ ଜଣାପଡ଼ିଛି ୨୦୧୯ ମେ ମାସ ତୁଳନାରେ ୨୦୨୦ ମେ ମାସରେ ଏହି ସବୁ ଜିଲ୍ଲାଗୁଡ଼ିକରେ ଘରୋଇ ଖାଇବା ଖର୍ଚ୍ଚ ସହିତ ମହିଳାଙ୍କ ଖାଦ୍ୟ ବିବିଧତା ମଧ୍ୟ ହ୍ରାସ ପାଇଛି। ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଯେପରିକି ମାଂସ, ଅଣ୍ଡା, ପନିପରିବା, ଏବଂ ଫଳ ଆଦି ଖାଦ୍ୟ ପୂର୍ବ ବର୍ଷ ତୁଳନାରେ କମିଯାଇଛି। ଏହି ଖାଦ୍ୟ ଗୁଡିକ ଶରୀରକୁ ଅଧିକ ପୁଷ୍ଟି ବା ନ୍ୟୁଟ୍ରିସନ ଯୋଗାଏ।

ଲକଡାଉନ୍ ସମୟରେ ସରକାରଙ୍କ ତରଫରୁ ପିଡିଏସ ସାମଗ୍ରୀ ସର୍ଭେ ହୋଇଥିବା ଏହି ଜିଲ୍ଲା ଗୁଡ଼ିକରେ ଯଥା କ୍ରମେ ୮୦,୫୦,୩୦ ପ୍ରତିଶତ ପହଞ୍ଚି ଥିଲା। କିନ୍ତୁ କରୋନା ଯୋଗୁଁ ହୋଇଥିବା ଲକଡାଉନ ପ୍ରଭାବରେ ପାଇଁ ଆର୍ଥିକ ଅନିୟମିତତା ଦେଖାଦେଇଥିଲା । ତେଣୁ ଲୋକମାନେ କେବଳ ପିଡିଏସ ସାମଗ୍ରୀକୁ ଖାଦ୍ୟ ଭାବରେ ଗ୍ରହଣ କରିଥିଲେ। ଆର୍ଥିକ ଅଭାବରୁ ପୁଷ୍ଟିକର ଖାଦ୍ୟ ଖାଇବା କମାଇ ଦେଇଥିଲେ।

ଇକୋନମିଆ ପଲିଟିକାଲ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ସମସ୍ୟା ପାଇଁ ମହିଳାମାନେ ଆବଶ୍ୟକ କରୁଥିବା ନ୍ୟୁଟ୍ରିସନ ପାଇପାରୁ ନାହାନ୍ତି। ତେଣୁ ବର୍ତ୍ତମାନର ପିଡିଏସ ଯୋଜନାରେ ପରିବର୍ତ୍ତନ ବା ସଂଶୋଧନ ହେବାର ଆବଶ୍ୟକତା ରହିଛି। ପିଡିଏସ ସାମଗ୍ରୀରେ କିଛି ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ସାମିଲ କରିବା ଠିକ୍ ହେବ ବୋଲି କୁହାଯାଇଛି। ଯେଉଁ ଖାଦ୍ୟ ଆବଶ୍ୟକ ନ୍ୟୁଟ୍ରିସନ ଯୋଗାଉଥିବ।

ଟାଟା-କର୍ଣ୍ଣେଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫର୍ ଆଗ୍ରିକଲଚର ଏବଂ ନ୍ୟୁଟ୍ରିସନ ସଂସ୍ଥାର ନିର୍ଦ୍ଦେଶକ ମାଥ୍ୟୁ ଆବ୍ରାହମ, ସହଯୋଗୀ ନିର୍ଦ୍ଦେଶକ ଏବଂ ପରାମର୍ଶଦାତା ପାୟଲ ସେଠ୍ , ରିସର୍ଚ୍ଚର ଇକୋନୋମିଷ୍ଟ ସୌମ୍ୟ ଗୁପ୍ତା କହିଛନ୍ତି ଯେ , ମହିଳାଙ୍କ ଖାଇବାରେ ପୂର୍ବରୁ ମଧ୍ୟ ବିବିଧତା ନଥିଲା। ହେଲେ କୋଭିଡ୍ ମହାମାରୀ ପାଇଁ ସ୍ଥିତି ଆହୁରି ଜଟିଳ ହୋଇଛି। ପୂର୍ବରୁ ଭାତ, ରୁଟି ବ୍ୟତୀତ ଅଣ୍ଡା, ମାଛ, ମାଂସ, ଫଳ ଆଦି ଯେଉଁ ପୁଷ୍ଟିକର ଖାଦ୍ୟ ଖାଉଥିଲେ ଏବେ ଏହି ଖାଦ୍ୟ ସେତେଟା ଖାଉ ନାହାନ୍ତି।

ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ ନୀତି ନିର୍ଦ୍ଧାରଣକାରୀ କିମ୍ବା ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ କରୋନା ମହାମାରୀର ପ୍ରଭାବ ଦିଗରେ ଅବଗତ ହେବା ଦରକାର। ମହିଳାଙ୍କ କ୍ଷେତ୍ରରେ ଯେଉଁ ନ୍ୟୁଟ୍ରିସନ ଅଭାବ ରହିଛି ତାକୁ ଠିକ୍ ଭାବରେ ପରଖି ଯୋଜନା ତିଆରି କରିପାରିଲେ ଆବଶ୍ୟକ ନ୍ୟୁଟ୍ରିସନ ପାଇପାରୁନଥିବା ମହିଳା ଉପକୃତ ହୋଇପାରନ୍ତେ ବୋଲି ସେମାନେ ମତ ଦେଇଛନ୍ତି ।

Related Posts