ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭଷ୍ଟ୍ରାଚାର ଆରୋପ, ସିବିଆଇ ବିବାଦ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଆସୁଥିବା ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏବେ ରାକେଶ ଅସ୍ଥାନାଙ୍କ ବିରୋଧରେ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ଆସ୍ଥାନାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ପାର୍ଟି ମଧ୍ୟ ପ୍ରଶ୍ନ ଉଠାଇଛି। ଏପଟେ ବିରୋଧୀ ଦଳର ନେତା ରାମଭୀର ବିଧୁଡୀ ଗୃହରେ କହିଛନ୍ତି ଯେ ଶାସକ ଦଳର ବିଧାୟକଙ୍କ ପାଖରେ ରାକେଶ ଆସ୍ଥାନାଙ୍କ ବିଷୟରେ ସୂଚନାର ଅଭାବ ରହିଛି।

ସେ ଯୁକ୍ତି ବାଢିଥିଲେ ଯେ ଅସ୍ଥାନା ତାଙ୍କ ବିଶିଷ୍ଟ ସେବା ପାଇଁ 2001 ରେ ପୋଲିସ ପଦକ ପାଇଥିଲେ। 2009 ରେ, ଦେଶରେ କଂଗ୍ରେସ ସରକାର ଥିବା ସମୟରେ ରାକେଶ ଅସ୍ଥାନାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା। ଦେଶର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରୁଥିବାବେଳେ ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ଆମେ ସମସ୍ତେ ସ୍ୱାଗତ କରିବା ଉଚିତ୍ ବୋଲି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳର ନେତା କହିଛନ୍ତି।

ରାକେଶ ଅସ୍ଥାନାଙ୍କୁ ନିକଟରେ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ଏସଏନ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ଜୁନ୍ ମାସରେ ଶେଷ ହୋଇଥିଲା। ଏହା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରାକେଶ ଅସ୍ଥାନାଙ୍କୁ ଏକ ବଡ଼ ଦାୟିତ୍ବ ଦେଇ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।

ରାକେଶ ଆସ୍ଥାନା ପୂର୍ବରୁ ବିଏସଏଫର ଡିଜି ଭାବରେ କାର୍ଯ୍ୟ କରୁଥିଲେ। ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ୍ ଆଇପିଏସ୍ ଅଧିକାରୀ । ବିଏସଏଫ ଡିଜିଙ୍କ ସହ ସେ ଏନସିବି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ହେବା ପରେ ଗୁଜୁରାଟ କ୍ୟାଡରର ରାକେଶ ଅସ୍ଥାନାଙ୍କ ସହିତ ଅନ୍ୟ 20 ଅଫିସରଙ୍କୁ କେନ୍ଦ୍ରୀୟ ବିଭାଗରେ ନିଯୁକ୍ତ କରାଯାଇଥିଲା ସେହି ମଧ୍ୟରେ ଆସ୍ଥାନ ମଧ୍ୟ ଥିଲେ। ୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅସ୍ଥାନାଙ୍କୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀ ପୋଲିସ କମିଶନର ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

ଉଲ୍ଲେଖଯୋଗ୍ୟ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ଏହାକୁ କେନ୍ଦ୍ରକରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏ ପରିସ୍ଥିତିରେ କେନ୍ଦ୍ର ସରକାର ଉଭୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇଦେବା ସହ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ।

ତେବେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍‌ କୋର୍ଟ ଦ୍ୱାରସ୍ଥ ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱରରାଓଙ୍କ ନିଯୁକ୍ତିକୁ ଖାରଜ କରି ଦେଇଥିଲେ।

Related Posts