ବିଶ୍ୱକପ ୨୦୨୩: ଦିନିକିଆରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତ ବିଶ୍ୱକପ କ୍ରିକେଟରେ ସୋମବାର ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ୮ ୱିକେଟରେ ଐତିହାସିକ ବିଜୟ ହାସଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଆଫଗାନିସ୍ତାନ ଖେଳାଳି ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ୨୮୩ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୯ ଓଭରରେ ୨ ୱିକେଟ ହରାଇ ହାସଲ କରିଥିଲା । ପାକିସ୍ତାନ ବିପକ୍ଷରେ ଦିନିକିଆରେ ବିପକ୍ଷ ଦଳର ଏହା ପ୍ରଥମ ବିଜୟ ।

ଏହି ବିଜୟରେ ଓପନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ରହମାନୁଲ୍ଲାହ ଗୁରବାଜ ୬୫ ଓ ଇବ୍ରାହିମ ଜାର୍ଡାନ ୮୭ ରନର ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ରହମତ ଶାହ(୭୭ ନଟଆଉଟ) ଓ ଅଧିନାୟକ ହସମୁତାଲ୍ଲା ଶାହୀଦ(୪୮ ନଟଆଉଟ) ମ୍ୟାଚକୁ ଜିତାଇଥିଲେ । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ଓ ହାସନ ଅଲୀ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅବଦୁଲ୍ଲ ସଫିକ ଓ ଇମାମ ଉଲ ହକ ପ୍ରଥମ ୱିକେଟରେ ୫୬ ରନ କରିଥିଲେ । ଇମାମ ୧୭ ରନ କରି ପ୍ୟାଭିଲିୟନ ଫେ ରି ଯାଇଥିଲେ ।

ଏହା ପରେ ସଫିକ ଓ ବାବର ଆଜାମ ଇନିଂସ ସମ୍ଭାଳିଥିଲେ । ସଫିକ ୫୮ ଓ ବାବର ୭୪ ରନ କରିଥିଲେ । ଶେଷ ଭାଗରେ ସଦାବ ଖାଁ (୪୦)ଓ ଇଫତିଖାର ଅହମ୍ମଦ (୪୦)ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ଯୋଗୁ ପାକିସ୍ତାନ ଭଲ ସ୍କୋର କରିପାରିଥିଲା । ଆଫଗାନିସ୍ତାନ ପକ୍ଷରୁ ନୂର ଅହମ୍ମଦ ୩ଟି ୱିକେଟ ନେଇଥିବା ବେଳେ ନବୀନ ଉଲ ହକ ୨ଟି ୱିକେଟ ହାସଲ କରିଥିଲେ । ପାକିସ୍ତାନ ୫ଟି ମ୍ୟାଚରୁ ୪ ପଂଏଟ ପାଇଥିବା ବେଳେ ଆଫଗାନିସ୍ତାନ ସମାନ ସଂଖ୍ୟକ ମ୍ୟାଚ ଖେଳି ୪ ପଂଏଟ ହାସଲ କରିଛି । ଏହି ପରାଜୟ ଯୋଗୁ ପାକିସ୍ତାନର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି ।

Related Posts