ବିଶ୍ୱକପ୍ ୨୦୨୩; ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ମାତ୍ ଦେଲା ଆଫଗାନିସ୍ତାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁର୍‌ବାଜଙ୍କ ୮୦ ରନ୍‌ର ଧୂଆଁଧାର ପାଳି ଓ ଇକ୍ରାମ ଅଲିଖିଲଙ୍କ ୫୮ ରନ୍‌ର ମହତ୍ବପୂର୍ଣ୍ଣ ପାଳି ବଳରେ ଦଳ ଇଂଲଣ୍ଡ ଆଗରେ ୨୮୫ ରନର ଲଢ଼ୁଆ ଟାର୍ଗେଟ ରଖିଥିଲା । ହେଲେ ଆଫଗାନିସ୍ତାନର ଘାତକ ବୋଲିଂ ଆଟାକ୍‌ ଇଂଲଣ୍ଡକୁ ୪୦.୩ ଓଭରରେ କେବଳ ୨୧୫ ରନ୍‌ରେ ଅଲ୍‌ଆଉଟ୍‌ କରିବାରେ ସକ୍ଷମ ହୋଇଛି । ଫଳରେ ୬୯ ରନରେ ବଡ଼ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍‌ । ଆଫଗାନିସ୍ତାନ ପାଇଁ ପାଳି ଆରମ୍ଭ କରିଥିବା ରେହମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍ ଜଦରାନ ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ଉଭୟ ୧୧୪ ରନ୍‌ ଯୋଡ଼ିଥିଲେ । ଏହାପରେ ଜଦରାନ ୨୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଯାଇଥିଲେ । ଗୋଟିଏ ପଟେ ଗୁର୍‌ବାଜ ଦଳୀୟ ସ୍କୋରବୋର୍ଡକୁ ଗତି ଦେଉଥିବା ବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିଲା । ଏହାପରେ ୫୭ ବଲରେ ୮୦ ରନ୍‌ କରି ଗୁର୍‌ବାଜ ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ସେ ୮ ଚୌକା ଓ ୪ ଛକା ମଧ୍ୟ ମାରିଥିଲେ । ଏହାପରେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାନ (୨୩) ଓ ମୁଜିବୁର ରେହମାନ (୨୮) ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସମର୍ଥ ରହିଥିଲେ । ଫଳରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ।

ଇଂଲଣ୍ଡ ପକ୍ଷରୁ ଆଦିଲ୍‌ ରସିଦ୍‌ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ମାର୍କ ଉଡ୍‌ ୯ ଓଭର ବୋଲିଂ କରି ୫୦ ରନ ବ୍ୟୟରେ ୨ଟି ୱିକେଟ ନେଇଥିଲେ । ସେହିପରି ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିସି ଟପ୍‌ଲି ଦଳକୁ ଗୋଟିଏ ଲେଖାଏଁ ସଫଳତା ଦେଇଥିଲେ ।

Related Posts