ବିଶ୍ୱକପ୍ ଫାଇନାଲ; ମ୍ୟାଚ୍ ଆରମ୍ଭରୁ ଏୟାର ସୋ’, ଶେଷରେ ଲେଜର୍ ସୋ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଗୁଜରାଟର ଅହମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ଫାଇନାଲ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାରେ ଅନ୍ୟତମ ଆକର୍ଷଣ ସାଜିବ ଭାରତୀୟ ବାୟୁ ସେନାର ଏୟାର ସୋ’ । ସେହିପରି ମ୍ୟାଚ୍ ଶେଷରେ ଲେଜର୍ ସୋ’ ର ମଧ୍ୟ ମଧ୍ୟ ମଜା ନେବେ ଦର୍ଶକ।

ସୂଚନା ଅନୁସାରେ, ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌ ତରଫରୁ ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ୧୫ ମିନିଟ୍‌ର ଏୟାର ସୋ’ ପ୍ରଦର୍ଶନ କରାଯିବ। ଏହି ଏୟାର ସୋ’ ଦିନ ୧.୩୫ ମିନିଟ୍‌ରେ ଆରମ୍ଭ ହେବ। ଫ୍ଲାଇଟ୍‌ କମାଣ୍ଡର ଓ ଡେପୁଟି ଟିମ୍‌ ଲିଡର ୱିଙ୍ଗ କମାଣ୍ଡର ସିଦେଶ କାର୍ତ୍ତିକଙ୍କ ନେତୃତ୍ବରେ ୯ଟି ବିମାନ ଅହମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିବେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଉପରେ ଭର୍ଟିକାଲ୍‌ ସୋ’ କରିବା ସହ ଦର୍ଶକମାନଙ୍କୁ ଏକ ଅଭୁଲା ଅଭିଜ୍ଞତା ପ୍ରଦାନ କରିବ। ଏୟାର ସୋ’ ପୂର୍ବରୁ ଶନିବାର ଏହାର ରିହରସାଲ କରାଯାଇଛି। ପ୍ରଥମ ଥର ପାଇଁ ବିଶ୍ବକପ୍‌ ମ୍ୟାଚ୍‌ ସମୟରେ ଏପରି ଏୟାର ସୋ’ କରାଯାଉଥବା କୁହାଯାଇଛି।

ସେହିପରି ଖେଳ ଶେଷ ହେବା ପରେ ବିଜୟ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଲେଜର ଲାଇଟ୍‌ ସୋ’ ମଧ୍ୟ ରଖାଯାଇଛି। ଲେଜର ସୋ’ ମାଧ୍ୟମରେ ବିଭିନ୍ନ ବିଶ୍ବକପ୍‌ ବିଜେତା ଦଳଗୁଡ଼ିକଙ୍କ ନାମ ଓ ଟ୍ରଫିକୁ ଆକାଶରେ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୨୦୦ ଲାଇଟ୍‌ର ବ୍ୟବହାର ହେଉଥିବା ସୂଚନା ଦିଆଯାଇଛି।ଲେଜର ସୋ’ ସହିତ ରାତିରେ ଆତସବାଜି ମଧ୍ୟ କରାଯିବାକୁ ଯୋଜନା ରହିଛି। ବିଶ୍ବକପ୍‌ ଉଦ୍‌ଯାପନ ପାଇଁ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗବିରଙ୍ଗର ବାଣ ଫୁଟାଯିବ ବୋଲି ସୂଚନା ମିଳିଛି।

Related Posts