ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ୭୫ ବର୍ଷ ପୁରୁଛି। ଏହି ଅବସରରେ ଧନୁଯାତ୍ରାକୁ ଏଥର ପ୍ଳାଟିନମ୍ ଜୁବଲି ଭାବେ ପାଳନ କରlଯାଉଛି। ଏଥିପାଇଁ କଳାକାର ଚୟନ ଓ ସଂଳାପ ଉପରେ ପ୍ରାଥମିକତା ଦିଆଯାଇଛି l ଆଉ ମାସେ ପରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ଆଜି ଆରମ୍ଭ ହୋଇଛି କଳାକାର ଚୟନ ପ୍ରକ୍ରିୟା। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଏହି କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଗତ ୨ ବର୍ଷ କରୋନା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ରେ ଆରମ୍ଭ ହେବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା । ଏହି ଯାତ୍ରାର କଂସ ଭୂମିକା ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପାର୍ଶ୍ଵ ଚରିତ୍ର ପାଇଁ ଆରମ୍ଭ ହୋଇଯାଇଛି କଳାକାର ଚୟନ। ଜିଲ୍ଲା ତଥା ଜିଲ୍ଲା ବାହାରର ୭ ଜଣିଆ ଚୟନ କମିଟି ବିଚାରକ ଭାବେ ଯୋଗଦେଇ କଳାକାରଙ୍କ ଅତିସନ ନେଇଛନ୍ତି । ଆଜି ଓ ୯ ତାରିଖରେ ପାର୍ଶ୍ୱ କଳାକାର ଚୟନ ପ୍ରକ୍ରିୟା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ କଂସ ଭୂମିକା ପାଇଁ ଅଡିସନ ହେବ ବୋଲି ଜଣାଯାଇଛି।
ଆଜି ଯାତ୍ରାର ପାର୍ଶ୍ଵ ଚରିତ୍ର ଉଗ୍ରସେନ, ବସୁଦେବ, ଦେବକୀ , ନାରଦ ତଥା ସେନାପତି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି । ଜଣକ ପରେ ଜଣେ ପ୍ରତିଯୋଗୀ ଜୁରି କମିଟି ସମ୍ମୁଖରେ ନିଜ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଛୁନ୍ତି । ଅଙ୍ଗଭଙ୍ଗୀ ଚାଳନା ସହିତ ଗମ୍ଭୀର ସ୍ୱରରେ ସଂଳାପ କହୁଛନ୍ତି ।
ଉଗ୍ରସେନ ଭୁମିକା ପାଇଁ ୭ ଜଣ କଳାକାର, ବାସୁଦେବ ପାଇଁ ୧୯ଜଣ କଳାକାର, ନାରଦ ପାଇଁ ୧୪ଜଣ କଳାକାର, ସେନାପତି ପାଇଁ ୩୭ ଜଣ ଏବଂ ଦେବକୀ ଭୂମିକା ପାଇଁ ୮ଜଣ ମହିଳା କଳାକାର ଏହି ଅଡିସନରେ ସାମିଲ ହୋଇଛନ୍ତି ।
କଳାହାଣ୍ଡିର ପ୍ରଦୀପ ମାଝୀ ,ବଲାଙ୍ଗିରର ଜୋମାଲ ଖାନ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, ଦେବଗଡର ହେମନ୍ତ ମହାପାତ୍ର, ବରଗଡର ଲିଟୁ ମହାନ୍ତି, ବିଜେପୁର ର ଶିବଲାଲ ସାଗର ଏବଂ ପଦମପୁରର ଅଶୋକ ବହିଦାର ବିଚାରକ ଭାବେ ଯୋଗ ଦେଇଛନ୍ତି।
ଚଳିତ ବର୍ଷ ଧନୁଯାତ୍ରାର ବିଭିନ୍ନ ଭୂମିକା ପାଇଁ ମୋଟ ୨୨୩ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୦ ଜଣ କେବଳ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି।
