ପୋକରେ ଭିଟାମିନ ଥାଏ, ଚୁପଚାପ ଖାଇଦିଅ: ସ୍କୁଲ ପ୍ରିନ୍ସିପାଲ

ପାଟନା: ବିହାରର ବୈଶାଲୀ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଖବର ବିଷୟରେ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋକା ମିଶା ଖାଦ୍ୟ ଖାଇବାକୁ କହିଥିଲେ ସ୍କୁଲର ପ୍ରିନ୍ସିପାଲ।

ଅଭିଯୋଗ ହୋଇଛି ଯେ, ଖାଦ୍ୟରେ ପୋକ ବାହାରିଥିବା ଜାଣି ସ୍କୁଲର ପ୍ରିନ୍ସିପାଲ କହିଥିଲେ ଯେ, ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ। କେବଳ ଏତିକି ନୁହେଁ, ଯେତେବେଳେ ଛାତ୍ରଛାତ୍ରୀମାନେ ଏପରି କରିବାକୁ ମନା କରିଦେଲେ, ପ୍ରିନ୍ସିପାଲ ସେମାନଙ୍କ ମଧ୍ୟରୁ ଜଣଙ୍କର ହାତ ଭାଙ୍ଗିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଏନେଇ ହଙ୍ଗାମା ହେବା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ଅନୁସନ୍ଧାନ କରାଯାଉଛି।

ସୂଚନା ମୁତାବକ, ବୈଶାଲୀ ଜିଲ୍ଲାର ଲାଲଗଞ୍ଜ ଅତୁତୁଲ୍ଲାପୁରରେ ଅବସ୍ଥିତ ସ୍କୁଲରେ ଶନିବାର ଏଭଳି ଘଟଣା ଘଟିଥିଲା। ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ପିଲାମାନେ ଖାଇବାକୁ ବସିବା ପରେ ଭାତରେ ପୋକ ଥିବା ଦେଖିଥିଲେ। ଖାଦ୍ୟରେ ପୋକ ଦେଖି ପିଲାମାନେ ପ୍ରିନ୍ସିପାଲ୍ ମୋ. ମିସୱାଦ୍ଦିନଙ୍କୁ ଏ ବିଷୟରେ ଜଣାଇଥିଲେ। ଘଟଣା ବିଷୟରେ ଜାଣି ବି ପୋକ‌ରେ ଭିଟାମିନ ଥାଏ, ଚୁପଚାପ ଖାଇଦିଅ ବୋଲି କହିଥିଲେ ମିସୱାଦ୍ଦିନ। ହେଲେ ପିଲାମାନେ ଖାଦ୍ୟ ଖାଇବାକୁ ମନା କରିବାରୁ ମିସୱାଦ୍ଦିନ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହା ଦ୍ବାରା ଜଣେ ଛାତ୍ରଙ୍କର ହାତ ଭାଙ୍ଗିବାରୁ ଉତ୍ତେଜନା ବଢ଼ିଥିଲା। ଏବେ ଶିକ୍ଷା ବିଭାଗ କାନରେ କଥା ପଡ଼ିବାରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି।

Related Posts