ବୋଲବମ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କଲେ ଉତ୍ତରପ୍ରଦେଶରେ ଯୋଗୀ ସରକାର: ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ ଓ ମାଂସ ଦୋକାନ

ଲକ୍ଷ୍ନୌ : ଗୁରୁବାରଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବ ମାନସିକ ଧାରୀଙ୍କ କାଓ୍ବଡିଆ ବା ବୋଲବମ ଯାତ୍ରା । ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖ​ଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କେତେକ ପଦକ୍ଷେପ ନେଇଛନ୍ତି ।

ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି । ଏହା ସହିତ ଶାନ୍ତି ଶୃଙ୍ଖ​ଳା ରକ୍ଷା ପାଇଁ ଡ୍ରୋନ ମାଧ୍ୟମରେ ଯାତ୍ରା ଉପରେ ନଜର ରଖାଯିବ ।

ପୁଣି ଭକ୍ତମାନେ ଯାଉଥିବା ରାସ୍ତାରେ ଯେପରି ପାଣି ନ ଜମେ ତାହା ଉପରେ ଦୃଷ୍ଟି ଦିଆଯିବ ।

ଜିଲ୍ଲାପା​ଳ ସୁହାସ ୟତିରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏକ ବୈଠକରେ ବୋଲବମ ଯାତ୍ରା ଯେପରି ସୁରୁଖୁରୁରେ ସମାପ୍ତ ହୁଏ ସେ ନେଇ ସମୀକ୍ଷା କରାଯାଇଛି ।

କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେଲା ଉତ୍ତରପ୍ରଦେଶରେ ବୋଲବମ ଯାତ୍ରାକୁ ଅନୁମତି ଦିଆଯାଉନଥିଲା । ଏବର୍ଷ ଅନୁମତି ଦିଆଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Related Posts