ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ନ୍ୟୁଜ ପୋର୍ଟାଲକୁ ବି କରିବାକୁ ପଡିବ ରେଜିଷ୍ଟ୍ରେଶନ। ସେପଟେ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଏବଂ ଖବରକାଗଜ ସହ ସମାନ କରିବାକୁ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲକୁ ଆଇନଗତ ସ୍ୱୀକୃତି ମିଳିଲେ ଖବରକାଗଜ ପରି ନ୍ୟୁଜ ପୋର୍ଟାଲକୁ ବି ପଞ୍ଜିକରଣ କରିବା ଆବଶ୍ୟକ ପଡିବ । ଏପର୍ଯ୍ୟନ୍ତ ଏହି ନିୟମ କେବଳ ଖବରକାଗଜ ପାଇଁ ଲାଗୁ କରାଯାଇଥିଲା । ଅନ୍ୟପଟେ କେନ୍ଦ୍ର ସରକାର ୧୫୫ ବର୍ଷ ପୁରୁଣା ପ୍ରେସ ଆଣ୍ଡ ରେଜିଷ୍ଟ୍ରେଶନ ଅଫ ବୁକ୍ସ ଆକ୍ଟକୁ ଶେଷ କରିବାକୁ ଯାଉଛି । ଏହି ସ୍ଥାନରେ ‘ପ୍ରେସ ଆଣ୍ଡ ରେଜିଷ୍ଟ୍ରେଶନ ପିରିୟୋଡିକାଲ ବିଲ’ ଆଗତ କରାଯିବ । ଏହି ବିଲ ଖବରକାଗଜ ପାଇଁ ନୂଆ ଓ ସହଜ ପଞ୍ଜିକରଣ ବ୍ୟବସ୍ଥା ହେବ ।
ଏହିପରି ଡିଜିଟାଲ ମିଡିଆକୁ ଆଣିବାକୁ ପ୍ରସ୍ତୁତି ଚାଲିଛି । ଅନୁମାନ କରାଯାଉଛି କେନ୍ଦ୍ର ସରକାର ମୌସୁମି ଅଧିବେଶନ ସମୟରେ ଏହି ବିଲକୁ ଆଗତ କରିପାରନ୍ତି । ସୂଚନା ଅନୁଯାୟୀ, ପ୍ରେସ ବିଧେୟକ ପ୍ରେସ ଓ ପୁସ୍ତକ ପଞ୍ଜିକରଣ(ପିଆରବି) ଅଧିନିୟମ, ୧୮୬୭ର ସ୍ଥାନ ନେବ । ଏହି ଅଧିନରେ ମଧ୍ୟମ ଓ କ୍ଷୁଦ୍ର ପ୍ରକାଶକଙ୍କ ପାଇଁ ପ୍ରକ୍ରିୟା ସରଳ ରଖାଯିବ ଏବଂ ଗଣମାଧ୍ୟମର ସ୍ୱାଧିନତାର ମୂଲ୍ୟବୋଧ ବଜାୟ ରହିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
