ଆପଣମାନେ ମୋର ଜାତି ନୁହଁ, ମୋ କାମ ଦେଖିଛନ୍ତି : ମୋଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଠାରୁ ନିଜର ୩ଦିନିଆ ଗୁଜୁରାଟ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ମେହସାନାର ଜିଲ୍ଲାର ମୋଢେରା ଗାଁରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୋଡେରା ଗାଁକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ମଧ୍ୟ ଘୋଷଣା କରିଛନ୍ତି।ବିକାଶ ପ୍ରକଳ୍ପର ଉଦଘାଟନ କରିବା ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ଏହି ସମ୍ବୋଧନ ଅବସରରେ ସେ କହିଥିଲେ ଯେ, ଗୁଜୁରାଟର ଲୋକମାନେ ମୋର ଜାତି ନୁହଁ, ମୋ କାମ ଦେଖିଛନ୍ତି। ଗତ ଦୁଇ ଦଶନ୍ଧି ଧରି ଗୁଜରାଟର ଲୋକମାନେ ମୋତେ ଆଶୀର୍ବାଦ ଦେଉଛନ୍ତି। ମୋର ଜାତି ଓ ମୋର ରାଜନୈତିକ ପୃଷ୍ଠଭୂମି ପ୍ରତି ଦୃଷ୍ଟି ନଦେଇ ମୋତେ ନିର୍ବାଚନରେ ଜିତାଇଛନ୍ତି। ଏହା ହେଉଛି ଗୁଜରାଟର ଶକ୍ତି, ଯାହା ଆଜି ମୋଢେରାରେ ଦୃଶ୍ୟମାନ ହେଉଛି, ଏହା ଗୁଜୁରାଟର ପ୍ରତ୍ୟେକ କୋଣ ଅନୁକୋଣରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ବିଦ୍ୟୁତ ଉତ୍ପାଦନ କରୁଥିଲେ ଏବଂ ଲୋକମାନେ ଏହାକୁ କିଣୁଥିଲେ। ହେଲେ ଏବେ ଲୋକଙ୍କ ନିଜ ଘରେ ସୌର ପ୍ୟାନେଲ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି। ଦେଶରେ ସୌର ଶକ୍ତି ବୃଦ୍ଧି ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ମୋଡେରାରେ ଏହି ପ୍ରକଳ୍ପ ସମଗ୍ର ଗୁଜୁରାଟ ପାଇଁ ଗର୍ବର ମୁହୂର୍ତ୍ତ ଆଣିଛି। ପରିବେଶବିତ୍ ମାନଙ୍କ ପାଇଁ ମୋଡେରା ଏବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଗତ ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରୁ ବାହାରେ ରହିବା ପରେ କଂଗ୍ରେସ ଏବେ ଏଠାରେ ଜିତିବାକୁ ଆଶା ରଖିଛି। ଅନ୍ୟପଟେ ଆମ ଆଦମୀ ପାର୍ଟି ମଧ୍ୟ ରାଜ୍ୟରେ ଏକ ନୂଆ ବିକଳ୍ପ ଭାବେ ଉଭା ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଜେପି ନେତା ମାନେ ନିଜର ଗଡ ବଜାୟ ରଖିବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି।

Related Posts