ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆଜି ୩୮ ଦିନ ପୁରଣ କରିଛି ଓ ହଜାରେ କିଲୋମିଟର ପଦଯାତ୍ରା ଶେଷ ହୋଇଛି । ଏହି ଅବସରରେ କର୍ଣ୍ଣାଟକର ବେଲ୍ଲାରୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାଧାରଣ ସଭାରେ ସମ୍ବୋଧିତ କରି ତାଙ୍କର ଯାତ୍ରା ଅନୁଭୂତି ବାଣ୍ଟିଥିଲେ। ଏହା ସହିତ ବିଜେପି ସରକାର ଉପରେ ବର୍ଷିଥିଲେ । ଏହି ଅବସରରେ ରାହୁଲ କହିଛନ୍ତି ଯେ, ବିଗତ ୪୫ ବର୍ଷ ମଧ୍ୟରେ ଆଜି ଭାରତରେ ସର୍ବାଧିକ ବେକାରୀ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ, ୨ କୋଟି ଚାକିରୀ କୁଆଡେ ଗଲା? ଅପରପକ୍ଷେ, ଦେଶର କୋଟି କୋଟି ଯୁବକଙ୍କୁ ବେରୋଜଗର କରି ଦିଆଯାଇଛି । ଯାତ୍ରା ସମୟରେ ମୁଁ ଅନେକ ଯୁବକଙ୍କୁ ପଚାରୁଛି, ଆପଣ ନିଶ୍ଚିତ କି ଆପଣ କଲେଜ ପରେ ଚାକିରି ପାଇବେ? ଉତ୍ତର ହେଉଛି – ଆମେ ବିଶ୍ୱାସ କରୁନାହୁଁ, ଆମକୁ ଲାଗୁନି କି ଆମେ ଚାକିରି ପାଇବୁ ।

ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ, କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ କାହିଁକି ଖାଲି ଅଛି ? ଯଦି ଆପଣ ଏଠାରେ ପୋଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ ଲକ୍ଷ ଟଙ୍କା ଦେଇ ଚାକିରି କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ଆପଣ କର୍ଣ୍ଣାଟକରେ ସରକାରୀ ଚାକିରି କିଣିପାରିବେ । ଯଦି ଆପଣଙ୍କର ଟଙ୍କା ନାହିଁ, ଆପଣ ସାରା ଜୀବନ ବେକାର ରହିବେ । ସେ ଆହୁରି କହିଛନ୍ତି ଯେ, କର୍ଣ୍ଣାଟକ ସରକାରଙ୍କୁ ୪୦% କମିଶନ ସରକାର ଭାବେ ନାମିତ କରାଯାଇଛି । ଏଠାରେ ଯାହା ବି କରିବାକୁ ହେଲେ ୪୦% କମିଶନ ଦେଇ ତାହା କରାଯାଇପାରିବ ।

ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ, ଆପଣ ମାନେ ବର୍ତ୍ତମାନ ଦରବୃଦ୍ଧିର ସମ୍ମୁଖୀନ ହେଉଛନ୍ତି । ଦରକାରୀ ଜିନିଷର ମୂଲ୍ୟ ବୃଦ୍ଧି ପାଉଛି, କାମ ହେଉ ନାହିଁ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ସିଲିଣ୍ଡରର ମୂଲ୍ୟ ୪୦୦ ଟଙ୍କା । ତାଙ୍କର ପ୍ରତ୍ୟେକ ଭାଷଣରେ, ସେ କହିଥିଲେ ଯେ ସିଲିଣ୍ଡର ଦର ବୃଦ୍ଧି ଯୋଗୁଁ ଆମ ମାଆ ଏବଂ ଭଉଣୀମାନେ କିପରି ଯନ୍ତ୍ରଣା ଭୋଗୁଛନ୍ତି । ବର୍ତ୍ତମାନ ସେହି ସିଲିଣ୍ଡରର ମୂଲ୍ୟ ୧ ହଜାର । ବର୍ତ୍ତମାନ ଆମ ମାଆ ଓ ଭଉଣୀମାନେ କଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କାହିଁକି କହୁନାହାନ୍ତି ? ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।