ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣାରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ନୋଟିସ ଜାରି

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣାରେ ପୋଲିସ ୟୁଟ୍ୟୁବରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ।

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ ସେନେଇ ସ୍ୱତନ୍ତ୍ର ନିୟମ ରହିଛି । ଏହି ନିୟମ ସମସ୍ତେ ପାଳନ କରିବା ଉଚିତ୍ ବୋଲି ଏସପି କହିଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କରି ଅଭିଯୁକ୍ତ ଅନିମେଶ ଶ୍ରୀମନ୍ଦିର ଉପରେ କିଭଳି ଡ୍ରୋନ୍ ଉଡାଇଲା ସେନେଇ ସବିଶେଷ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସର ବିନା ଅନୁମତିରେ ଅନିମେଶ କିଭଳି ଭାବେ ୟୁଟ୍ୟୁବ ଭିଡିଓରେ ପୋଲିସର ଲୋଗୋ ବ୍ୟବହାର କରିଥିଲା ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସିଟି ଡିଏସପିଙ୍କ ନେତୃତ୍ୱରେ ତିନିଜଣ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଠାରୁ ସବିଶେଷ ତଥ୍ୟ ହାସଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

Related Posts