
ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରେ ଅଘଟଣ । ସାଙ୍ଗ ସାଥି ହୋଇ ଖେଳୁଥିବା ବେଳେ, ଭୟଙ୍କର ବିସ୍ଫୋରଣ | ଖେଳ ପଡିଆରେ ପଡିଥିବା ଅଫୁଟା ବାଣରୁ ବାରୁଦ ସଂଗ୍ରହ କରି ନିଆଁ ଲଗାଇବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି | ଫଳରେ ୪ ନାବାଳକ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି |
ସୂଚନା ଅନୁଯାୟୀ, ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗାଁରେ ଏହି ଅଘଟଣ ଘଟିଛି । ଗାଁରେ ଥିବା ଖେଳ ପଡିଆରେ କିଛି ଅଫୁଟା ବାଣ ପଡିଥିଲା । ୪ ଜଣ ନାବାଳକ ସେହି ବାଣକୁ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟିଛି । ଏଥିରେ ଗୁରୁତର ୪ ନାବାଳକଙ୍କୁ ପ୍ରଥମ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।ଆହତମାନେ ହେଲେ ଗଁପୁର ଗ୍ରାମର ଲୋକନାଥ ବାରିକ, ରଘୁନାଥ ବାରିକ,ବିଭୂତି ଭୂଷଣ ସାହୁ ଓ ସୌମ୍ୟ ରଞ୍ଜନ ସାହୁ । ଗତ ରବିବାର ଗଁପୁର ଗ୍ରାମରେ ଗାନ୍ଧୀ ପାର୍କ ଉଦଘାଟନରେ ପଡ଼ିଆରେ ପଡିଥିବା ଅଫୁଟାବାଣକୁ ପିଲାମାନେ ସଂଗ୍ରହ କରି ମଦ ବୋତଳରେ ବାରୁଦ ଭର୍ତ୍ତି କରି ନିଆଁ ଲଗାଇବା ସମୟରେ ବିସ୍ଫୋରଣ ଘଟିଥିବା ଜଣାପଡିଛି ।