ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍‌ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍‌ ପଞ୍ଜିକୃତ ହୋଇଛି । ଅଭିଯୋଗରେ ତେଲକୋଇର ଅଂଚଳର ରୀତା ଜୁଆଙ୍ଗଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁକୁ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟି ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଶ୍ରମିକମାନେ ଅସୁରକ୍ଷିତ ପରିବେଶ ଏବଂ ବିପଦପୂର୍ଣ୍ଣ କାମରେ ନାବାଳିକାକୁ ନିଯୁକ୍ତ କରାଯାଇଥିବାରୁ ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନା ମେସର୍ସ ସେଂଟ ପିଟର ଆଣ୍ଡ ସି ଫୁଡ ଏକ୍ସପୋର୍ଟ ପ୍ରାଇଭେଟ ଲିଃ ପରିଚାଳନା କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନ ଆଦେଶ କରିବାକୁ ଅନୁରୋଧ କରିଛନ୍ତି । ତାମିଲନାଡୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ କରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଆଦେଶ କରିବାକୁ ଆଇନଜୀବି ଅନୁପ କୁମାର ପାତ୍ର ନିବେଦନ କରିଛନ୍ତି । କେନ୍ଦୁଝର ଜିଲ୍ଲାର କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ଥଇଥାନ ଓ ସୁବିଧା ଯୋଗାଇ ଦେବାକୁ କମିଶନ ନିକଟରେ ଅନୁରୋଧ କରିଛନ୍ତି । ସେହିପରି ତାମିଲନାଡୁରେ ଥିବା ୬୬୬୯ ବିପଦପୂର୍ଣ୍ଣ ଶିଳ୍ପ ମାନଙ୍କରେ ସୁରକ୍ଷା ଅଡିଟ୍ କରିବାକୁ କମିଶନ ଆଦେଶ କରିବାକୁ ସେ ନିବେଦନ କରିଛନ୍ତି ।