ପରିବା ବ୍ୟବସାୟ ସହ ବ୍ରାଉନ୍‌ସୁଗାର ବ୍ୟବସାୟ: ଖୋର୍ଦ୍ଧାରୁ ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ପରିବା ବ୍ୟବସାୟ ସହ ଚାଲିଛି ବ୍ରାଉନ୍‌ସୁଗାର ବ୍ୟବସାୟ । ପରିବା ବେପାର କରିବା ଆଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରିବା ଅଭିଯୋଗ ରେ ଜଣେ ଗିରଫ । ଭୁବନେଶ୍ୱରରୁ ପରିବା ଆଣିବା ବାହାନାରେ ବ୍ରାଉନ୍‌ସୁଗାର ଚାଲାଣ କରି ଖୋର୍ଦ୍ଧା ଚାଲାଣ ହେଉଛି । ଏଭଳି ବ୍ୟବସାୟରେ ଜଣେ ନୁହେଁ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଆଜି ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ୧୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି ।

ଆଜି ସକାଳେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ମୋବାଇଲ୍ ଅବକାରୀ ଟିମ୍ ଏସ୍ଆଇ ବି ମନୋଜ କୁମାର, ବେଗୁନିଆ ଓଆଇସି ରାଜେନ୍ଦ୍ର ସେସ, ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆର ଅବକାରୀ କର୍ମଚାରୀଙ୍କ ଏକ ଟିମ୍ ଖୋର୍ଦ୍ଧା ସାମନ୍ତରାପୁର ନିକଟ ଠେଙ୍ଗାହାଟ ନିକଟରେ ଛକି ବସିଥିଲେ । ଏହି ସମୟରେ ବିଜୟ ବେହେରା (୪୪) ନିଜ ଘର ଠାରୁ ଅନତି ଦୂରରେ ଗ୍ରାହକଙ୍କ ପାଇଁ ଅପେକ୍ଷା କରିଥିବା ବେଳେ ଚାରିପଟୁ ଘେରିଯାଇ ଧରିଥିଲେ । ବିଜୟର ପ୍ୟାଂଟ ପକେଟ୍‌ରୁ ୧୪୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିଲା । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ଆନୁମାନିକ ୧୫ଲକ୍ଷ ଟଙ୍କା ହେବ ।

ଏନେଇ ଅବକାରୀ ଆରକ୍ଷୀ ଅଧୀକ୍ଷକ ଝସକେତନ ବରିହା କହିଛନ୍ତି ଯେ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ଭୁବନେଶ୍ୱରର କାର୍ଗିଲ୍ ବସ୍ତିରୁ ଅଭିଯୁକ୍ତ ବିଜୟ ବ୍ରାଉନସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରେ । ଏହି ସୂଚନା ଆଧାରରେ ବିଜୟ ଉପରେ ଗତ କିଛି ଦିନ ଧରି ନଜର ରଖାଯାଇଥିଲା । ଆଜି ହିଁ ସକାଳେ ସେ କାର୍ଗିଲ୍ ବସ୍ତିରୁ ଏହି ବ୍ରାଉନସୁଗାର ଆଣି ନିଜ ଘର ନିକଟରେ ଅନ୍ୟ ଗ୍ରାହକଙ୍କ ସହ ସମ୍ପର୍କ କରି ବିକ୍ରି କରିବାକୁ ଅପେକ୍ଷା କରିଥିଲା ।

ଖୋର୍ଦ୍ଧାରେ ପରିବା ସହ ବ୍ରାଉନସୁଗାର ବ୍ୟବସାୟ ଘଟଣା ଆଜିର ନୁହେଁ । ଖୋର୍ଦ୍ଧାରେ ଚାଲୁଥିବା ବ୍ରାଉନ୍‌ସୁଗାର କାରବାର ଉପରେ ଏସ୍‌ଟିଏଫ୍‌ ଘନଘନ ଚଢ଼ାଉ ଘଟଣାରେ ଖୋର୍ଦ୍ଧାର ଜଣାଶୁଣା ନିଶା ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା ଜୁଲାଇ ୨୦୧୯ରେ କୋର୍ଟରେ ଆତ୍ମ ସମର୍ପଣ କରିଥିଲା । ଛୋଟା ମଧ୍ୟ ଖୋର୍ଦ୍ଧାରେ ପରିବା ବ୍ୟବସାୟ କରୁଥିଲା । ଚଳିତ ବର୍ଷ ଜାନୁଆରି ୨୫ ତାରିଖରେ ଖୋର୍ଦ୍ଧା ବନ ଖଣ୍ଡ କାର୍ଯ୍ୟାଳୟ ନିକଟ ଏକ ପରିବା ଦୋକାନରୁ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଥିଲା ।

Related Posts