
ରାଜ୍ୟର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ । ତେବେ ମତଦାନ ସମୟରେ ଅନେକ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କଂଗ୍ରେସ ଶାସକ ଦଳ ବିଜେଡ଼ି ଉପରେ ବର୍ଷିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି । ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ସାମ୍ବାଦିକ ମାନେ ମଧ୍ଯ ଜନ ଆକ୍ରୋଶ ର ଶିକାର ହୋଉଛନ୍ତି । ରାଜ୍ୟରେ ଅବାଧ ଓ ଶାନ୍ତିଶୃଙ୍ଖଳାରେ ପଂଚାୟତ ନିର୍ବାଚନ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାର ପୁର୍ବରୁ ଯେଉଁ ବାହାସ୍ଫୋଟ ମାରୁଥିଲେ, ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପଂଚାୟତ ନିର୍ବାଚନରେ ଯେଉଁଭଳି ହିଂସା ହୋଇଛି ସେଥିରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥିଙ୍କ ଜିତିବା ସୁନିଶ୍ଚିତ କରିବା ପାଇଁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ସେ ବ୍ୟଥିତ ହେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡ଼କୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଖୋଦ୍ ଶାସକ ଦଳର ପ୍ରାର୍ଥୀମାନଙ୍କ ଦ୍ୱାରା ତୃଣମୁଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଆଉ ଶାସକ ବିଜେଡି ଏହାକୁ ପ୍ରୋତ୍ସାହିତ କରୁଛି ।