
ରାଜ୍ୟରେ ବେକାବୁ ହେବାକୁ ବସିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଏହାରି ମଧ୍ୟରେ ଦ୍ରୁତଗତିରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା | ରାଜ୍ୟରେ ଆଜି ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି ।
ସେପଟେ ଓମିକ୍ରନ୍ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ବୋଲି କୁହାଯାଉଛି । ଗତ ୧୨ଦିନ ଭିତରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଯାହାକୁ ନେଇ ରାଜ୍ୟସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ନିର୍ବାଚନ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଦିନ ୧୧ଟାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ । କରୋନା ସ୍ଥିତି ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଆଲୋଚନା ହୋଇଛି । ଆଗକୁ କରୋନାର ସ୍ଥିତିକୁ ନେଇ ନିର୍ବାଚନ ହେବ କି ନାହିଁ ନିଷ୍ପତ୍ତି ନିଆଯିବା ବୋଲି ସୂଚନା ଦେଇଛନ୍ତି ଏସଆରସି |
ସେପଟେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୩ହଜାର ୬୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।
ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ହଜାରେ ଟପିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୨୩ ପଜିଟିଭ୍ । ସୁନ୍ଦରଗଡ଼ରୁ ୫୮୨, ସମ୍ୱଲପୁରରୁ ୩୭୨, କଟକରୁ ଆଉ ୩୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦ ନୂଆ ଆକ୍ରାନ୍ତ ବାହାରିଛନ୍ତି ।