
ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ମ ଓ ୮ମ ବୋର୍ଡ ପରୀକ୍ଷା ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, “ସିବିଏସଇ ଓ ହରିଆଣା ବୋର୍ଡର ୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଚଳିତ ଶିକ୍ଷାବର୍ଷ ପାଇଁ ସ୍ଥଗିତ ରଖାଯାଉଛି। ଆସନ୍ତା ଶିକ୍ଷାବର୍ଷ ଠାରୁ ୫ମ ଓ ୮ମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ।”
ରବିବାର ଅନେକ ଅଭିଭାବକ ୫ମ ଓ ୮ମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ସରକାର କରୁଥିବା ଯୋଜନା ବିରୋଧରେ ଆନ୍ଦୋଳନ କରିଥିଲେ। ଏଥିରେ ସିବିଏସ୍ଇ, ସିଆଇଏସ୍ସିଇ ଓ ଆଇବି ବୋର୍ଡ ଦ୍ୱାରା ପରିଚାଳିତ ଗୁରୁଗ୍ରାମରେ ଥିବା ସମସ୍ତ ୧୨ ସ୍କୁଲର ଅଭିଭାବକ ସାମିଲ ହୋଇଥିଲେ। କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ସରକାର ପରୀକ୍ଷା କରିବାକୁ ଯୋଜନାକୁ ନେଇ ପ୍ରଶ୍ନ କରିଥିଲେ।
ଆନ୍ଦୋଳନକାରୀ ଅଭିଭାବକମାନେ କହିଥିଲେ ଯେ ଦୀର୍ଘ ୬୫୦ ଦିନ ହେଲା ସ୍କୁଲ ବନ୍ଦ ରହିଥିଲା। ଏପରି ସ୍ଥିତିରେ ପିଲାମାନଙ୍କ ପାଇଁ ହଠାତ୍ ପରୀକ୍ଷା ଦେବା ସହଜ ହେବନାହିଁ। କାରଣ ସେମାନେ ଦୀର୍ଘଦିନର ବ୍ୟବଧାନ ପରେ ସ୍କୁଲ ଆସିଛନ୍ତି। ଏହି ସମୟରେ ନୂଆ ବୋର୍ଡ ପରୀକ୍ଷା ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ।