ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ହାରିବା ପରେ TMCରେ ବଡ଼ ବିପର୍ଯ୍ୟୟ । ୧୦୦ରୁ ଅଧିକ କାଉନସିଲରଙ୍କ ଇସ୍ତଫା । ବିଜେପିରେ ଯୋଗ ଦେଇପାରନ୍ତି ୧୨ ସାଂସଦ ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟର ବିଭିନ୍ନ ପୌରପାଳିକା (Municipalities) ରୁ ପ୍ରାୟ ୧୦୦ରୁ ଅଧିକ ଟିଏମସି କାଉନସିଲର ଏକାସଙ୍ଗେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ଗଣ-ଇସ୍ତଫା ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ ସୃଷ୍ଟି କରିବା ସହ ମମତା ବାନାର୍ଜୀଙ୍କ ଦଳ ପାଇଁ ଏକ ଶକ୍ତ ଝଟ୍କା ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ସବୁଠାରୁ ବଡ଼ ଝଟକା ଭାଟପଡ଼ା ପୌରପାଳିକାରୁ ଲାଗିଛି, ଯେଉଁଠାରେ ଅଧ୍ୟକ୍ଷା ରେବା ରାହାଙ୍କ ସମେତ ୩୫ ଜଣଙ୍କ ମଧ୍ୟରୁ ୩୦ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି।ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ‘ଡାଇମଣ୍ଡ ହାର୍ବର’ ପୌରପାଳିକାରୁ ମଧ୍ୟ ୮ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ଫାଲତା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ୭୧ ପ୍ରତିଶତରୁ ଅଧିକ ଭୋଟ ପାଇ ବିପୁଳ ବିଜୟ ହାସଲ କରିଥିବା ବେଳେ ଟିଏମସି ଚତୁର୍ଥ ସ୍ଥାନକୁ ଖସିଯାଇ ଅମାନତ ହରାଇଥିଲା।
ଏହି ପରାଜୟ ପରେ ଅଭିଷେକଙ୍କ ଲୋକପ୍ରିୟ ‘ଡାଇମଣ୍ଡ ହାର୍ବର ମଡେଲ’ର ବେଲୁନ ଫାଟିଯାଇଛି ବୋଲି ବିଦ୍ରୋହୀ କାଉନସିଲରମାନେ ଅଭିଯୋଗ କରିଛନ୍ତି। ସେପଟେ କାଉନସିଲରମାନେ ବାହାରକୁ ବ୍ୟକ୍ତିଗତ କାରଣ ଦର୍ଶାଉଥିଲେ ମଧ୍ୟ, ଅସଲ କାରଣ ହେଉଛି ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ମାମଲାର ଭୟ। ଗତ କିଛି ଦିନ ମଧ୍ୟରେ ବିଧାନନଗର ଏବଂ କୁଚବେହାରର କେତେକ ପ୍ରଭାବଶାଳୀ ଟିଏମସି କାଉନସିଲର ଚାନ୍ଦା ଆଦାୟ ଓ ମାଫିଆଗିରି ଅଭିଯୋଗରେ ଗିରଫ ହୋଇଛନ୍ତି।
ଅନ୍ୟପଟେ ଦଳର ପ୍ରାୟ ୧୨ ଜଣ ସାଂସଦ ବିଜେପିର ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଯଦିଓ ଏହି ଖବର ବର୍ତ୍ତମାନ କେବଳ ଚର୍ଚ୍ଚାରେ ରହିଛି, ତେବେ ଏହା ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ପାଇଁ ବଡ଼ ସତର୍କ ଘଣ୍ଟି।ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ଶୀର୍ଷ ନେତୃତ୍ୱଙ୍କୁ ଦାୟୀ କରାଯାଉଛି। ପୂର୍ବତନ ମନ୍ତ୍ରୀ ମନୋଜ ତିୱାରୀଙ୍କ ‘ଟିକେଟ ପାଇଁ ଟଙ୍କା’ ଅଭିଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାଙ୍କ ଅସନ୍ତୋଷ ଦଳର ଆଭ୍ୟନ୍ତରୀଣ ଫାଟକୁ ପଦାରେ ପକାଇଛି।
ଏହି ସମୟରେ ୧୨ ଜଣ ସାଂସଦ ଦଳ ଛାଡ଼ି ବିଜେପି କ୍ୟାମ୍ପକୁ ଯିବା ନେଇ ଚର୍ଚ୍ଚା ହେବା ଫଳରେ ଦଳ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଲୋକସଭାର ୨୯ ଜଣ ତୃଣମୂଳ ସାଂସଦଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ବିଜେପିରେ ଯୋଗଦେବା କିମ୍ବା ସମର୍ଥନ କରିବା ପାଇଁ ଯୋଜନା କରିସାରିଛନ୍ତି। ଅନ୍ୟ ପାଞ୍ଚ କିମ୍ବା ଛଅ ଜଣ ସାଂସଦଙ୍କ ସହିତ ମଧ୍ୟ ଆଲୋଚନା ଚାଲିଛି।
