ସୋନାଲି ଫୋଗାଟଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ କରିବା ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ହରିୟାଣା ସରକାର

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହତ୍ୟା ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିି ଥିବା ବେଳେ, ଏହାରି ମଧ୍ୟରେ ହରିୟାଣା ସରକାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଚିଠି ଲେଖିଛନ୍ତି । ସୋନାଲି ଫୋଗାଟ ହତ୍ୟା ମାମଲା ସିବିଆଇ ତଦନ୍ତ କରାଇବା ପାଇଁ ଚିଠିରେ ହରିୟାଣା ସରକାର କହିଛନ୍ତି ।

ସୋନାଲିଙ୍କ ପରିବାର ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ପରିବାର ଲୋକେ ଅଭିଯୋଗ ଆଣି ଏହି ହତ୍ୟାକାଣ୍ଡ ବଡ଼ ବ୍ୟକ୍ତିଙ୍କ ହାତ ଥିବାର ଅଭିଯୋଗ କରିଥିଲେ । ହରିୟାଣା ସରକାର ସୋନାଲିଙ୍କ ପରିବାର ଦାବି ଆଧାରରେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲା ସିବିଆଇକୁ ଦିଆଯିବା ଦରକାର ବୋଲି କହିଛନ୍ତି । ଏହି ମାମଲାରେ ଗୋଆ ପୋଲିସ ଅଧିକାରୀଙ୍କ ଏକ ଟିମ ସୋନାଲିଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ମଙ୍ଗଳବାର ହରିୟାଣାର ହିସାର ଗସ୍ତ କରିବେ ।

ଏହା ପୂର୍ବରୁ ଆବଶ୍ୟକ ପଡିଲେ ହି ମାମଲାକୁ ସିବିଆଇକୁ ଦିଆଯିବ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଥିଲେ। ଗୋଆ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । ଏହାସହ ସେ କହିଥିଲେ ଯେ, ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ବାବଦରେ ସୂଚୀତ କରାଯାଇଛି। ମାମଲାର ସବୁ ରିପୋର୍ଟ ହରିୟାଣା ଡିଜିପିଙ୍କୁ ଦିଆଯାଇଛି। ଆବଶ୍ୟକ ହେଲେ ସିବିଆଇକୁ ମଧ୍ୟ ସାମିଲ କରାଯିବ ।

Related Posts