ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ହୋଇଥିବା ଅବ୍ୟବସ୍ଥାର ଗୁମର ଖୋଲି ଦେଇଛି ଅଡିଟ ରିପୋର୍ଟ। ରାୟଗଡ଼ା ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ୧୭୭ ଶିଶୁଙ୍କ ମୃତ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାୟଗଡ଼ା ଏକ ଆକାଂକ୍ଷୀ ଜିଲ୍ଲା। ଆଉ ଏହି ଜିଲ୍ଲାରେ କାର୍ଯ୍ୟ କରୁଥିବା ସମାଜ ମଙ୍ଗଳ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିଡ଼ମ୍ବନାର କଥା, ୨୦୨୬ ମେ ମାସ ୨୬ ତାରିଖରେ ଏଜି ଅଡିଟ୍ ରିପୋର୍ଟକୁ ନେଇ ଅତ୍ୟନ୍ତ ଜରୁରୀ ଚିଠି ଡିଏସଡବ୍ଲ୍ୟୁଓଙ୍କ ନାମରେ ଜାରି ହୋଇଛି। ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗଠାରୁ ଏହି ଚିଠି ସିଧାସଳଖ ଡିଏସଡବ୍ଲ୍ୟୁଓ ମିନତୀ ଦେଓଙ୍କ ନାମରେ କାରଣ ଦର୍ଶାଅ ଚିଠି ଜାରି ହୋଇଛି। ଅତ୍ୟନ୍ତ ସାଂଘାତିକ ଅନୁଧ୍ୟାନ ପରେ ଲେଖାଯାଇଥିବା ଚିଠିରେ ରାୟଗଡ଼ା ସମାଜ ମଙ୍ଗଳ କାର୍ଯ୍ୟାଳୟର ବ୍ୟବସ୍ଥାଗତ ତ୍ରୁଟି, ତଥ୍ୟ ପରିଚାଳନାରେ ଗୁରୁତର ଅନିୟମିତତା, ତଦାରଖର ଅଭାବ ଭଳି ଚରମ ଅବହେଳାର କଥା ଉଲ୍ଲେଖ ରହିଛି। ଯାହାର ପରିଣାମ ସ୍ୱରୂପ ଜିଲ୍ଲାରେ ଗତ ୩ ମାସରେ ୧୭୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଇଛି। ମା’ଟିଏ ଗର୍ଭଧାରଣ କରିବ। ଗର୍ଭରୁ ସୁସ୍ଥ ସନ୍ତାନଟିଏ ଜନ୍ମ ନେବ। ମା’ ଓ ଶିଶୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସମାଜ ମଙ୍ଗଳ ବିଭାଗ ରହିଛି। ସରକାରଙ୍କ ରହିଛି ବିସ୍ତୃତ ଯୋଜନା। କିନ୍ତୁ ଶିଶୁଟିର ଶାରୀରିକ ବୃଦ୍ଧି ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ଉଚ୍ଚତା ଓ ଓଜନ ଅସଙ୍ଗତି ଦେଖାଯିବା ଦ୍ୱାରା ପ୍ରକୃତରେ ମାପ ନକରି ଅନୁମାନ ଆଧାରରେ ତଥ୍ୟ ରେକର୍ଡ କରାଯାଇ ରିପୋର୍ଟ ଦିଆଯାଉଛି। ଶାରୀରିକ ବୃଦ୍ଧି ମାପକ ଉପକରଣ ଉପଲବ୍ଧ ନଥିବା ସତ୍ତ୍ୱେ ଏହା କିପରି ସମ୍ଭବ ହୋଇପାରୁଛି ବୋଲି କାରଣ ଦର୍ଶାଅ ନୋଟିସ୍‌ରେ ପ୍ରଶ୍ନ କରାଯାଇଛି। ବିଡ଼ମ୍ବନାର କଥା, ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇନାହିଁ। ଟେକ୍ ହୋମ୍ ରେସନ୍ (ଟିଏଚ୍‌ଆର୍) ବଣ୍ଟନ ଓ ରେକର୍ଡ ରକ୍ଷଣରେ ସନ୍ଦେହଜନକ ତଥ୍ୟ ଯୋଗୁଁ ଭୁଲ୍ ରିପୋର୍ଟିଂକୁ ଦର୍ଶାଉଛି। ଖାଦ୍ୟର ଗୁଣବତ୍ତା ନିୟନ୍ତ୍ରଣରେ ବିଫଳତା, ଆର୍ଥିକ ଅନିୟମିତତା ଦର୍ଶାଉଛି ବୋଲି ନୋଟିସ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଗୁରୁତର ରୂପେ ଭିତ୍ତିଭୂମି ତ୍ରୁଟି ଯୋଗୁଁ ସଠିକ୍ ସମୟରେ ପିଲା ଏବଂ ମା’ଙ୍କୁ ସେବା ପ୍ରଦାନ ଅନୁପାଳନକୁ ପ୍ରଭାବିତ କରୁଛି। ଅନୁଧ୍ୟାନ କମିଟି ବା ସ୍କ୍ୱାଡ୍ ଗଠନ ନହେବା ବିଭାଗର ପ୍ରଶାସନିକ ଅବହେଳା ଜଣାପଡୁଛି। ପୋଷଣ ଟ୍ରାକର୍ ତଥ୍ୟ ପରିଚାଳନାରେ ତ୍ରୁଟି, କମ୍ ତଥ୍ୟ ପ୍ରଦାନ, ଅବିଶ୍ୱସନୀୟ ତଥ୍ୟ ପ୍ରଦାନ ସ୍ଥିତିକୁ ଦେଖିଲେ ଅବାସ୍ତବ ରିପୋର୍ଟିଂ କରାଯାଉଥିବା ସ୍ପଷ୍ଟ କରି କହୁଛି। ପ୍ରତ୍ୟେକ ଅବହେଳା ସିଧାସଳଖ ହିତାଧିକାରୀଙ୍କ ଉପରେ ପ୍ରଭାବ ପକାଉଥିବା ବେଳେ ବିଭାଗର ପ୍ରଶାସନିକ ତ୍ରୁଟି, ଯଥୋଚିତ ସତର୍କତାର ଅଭାବ, ସରକାରୀ କର୍ତ୍ତବ୍ୟ ପାଳନରେ ବ୍ୟାପକ ଅବହେଳା ଏବଂ ସରକାରୀ ନିୟମାବଳୀକୁ ଉଲ୍ଲଂଘନ କରାଯାଇଥିବା ଦର୍ଶାଉଛି ବୋଲି କାରଣ ଦର୍ଶାଅ ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ଜିଲ୍ଲାରେ ଯେଉଁ ଶିଶୁ ମୃତ୍ୟୁ ଭଳି ଘଟଣା ନଜରକୁ ଆସିଛି, ତା’ର କାରଣ ଏହି ଚରମ ଅବହେଳା ବୋଲି ଧରିନେବାକୁ ପଡ଼ିବ। ଶିଶୁ ଓ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଅବ୍ୟବସ୍ଥା, ଏହା ଗ୍ରହଣୀୟ ନୁହେଁ। ଏ ନେଇ ମୁଁ ବିଧାନସଭାରେ ପ୍ରଶ୍ନ କରିବି ବୋଲି ବିଧାୟକ କାଡ୍ରାକା ଆପାଲାସ୍ୱାମୀ ମତବ୍ୟକ୍ତ କରିଛନ୍ତି। ତେବେ ଡିଏସଡବ୍ଲ୍ୟୁଓ ମିନତୀ ଦେଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।