ବଲାଙ୍ଗିର, (ସତ୍ୟପାଠ ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ୍‌ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋସାଇଟିର ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ଏହି ମାମଲାର ତଦନ୍ତ ବେଳେ ଜାଣିବାକୁ ପାଇଲା ଯେ, ଶ୍ରୀ ମଲ୍ଲିକ ସରକାରୀ ଓ ସମିତିର ପାଣ୍ଠିକୁ ମିଶାଇ ମୋଟ ୧୪,୨୨,୦୪୬ ଟଙ୍କାର ଆର୍ଥିକ ଜାଲିଆତି କରିଛନ୍ତି। ଏହି ଆର୍ଥିକ ଅନିୟମିତତାଗୁଡ଼ିକ ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କରାଯାଇଥିଲା। ତଦନ୍ତ ସମୟରେ ଧରାପଡ଼ିଥିବା ଅନିୟମିତତାଗୁଡ଼ିକ ମଧ୍ୟରେ ରହିଛି ବିହନ ବିକ୍ରିରୁ ମିଳିଥିବା ଅର୍ଥ ହିସାବରେ ଉଲ୍ଲେଖ ନ କରିବା, ସରକାରୀ ହିସାବ ଖାତାରେ ବିହନ ବିକ୍ରି ଲବ୍ଧ ଅର୍ଥକୁ ବାଦ୍ ଦେବା, ‘ଡେ-ବୁକ୍’ (ଦୈନିକ ହିସାବ ଖାତା)ରେ ଜାଣିଶୁଣି କମ୍ ‘କ୍ଲୋଜିଂ ବାଲାନ୍ସ’ (ଶେଷ ବାକି ରାଶି) ଦର୍ଶାଇବା, ଅର୍ଥ ଅଭାବକୁ ଲୁଚାଇବା ପାଇଁ ନକଲି ବ୍ୟାଙ୍କ ଜମା ଦର୍ଶାଇବା ଏବଂ ସଞ୍ଚୟ ବ୍ୟାଙ୍କ ଜମା ଖାତାରୁ ଆବଶ୍ୟକତାଠାରୁ ଅଧିକ ଟଙ୍କା ଉଠାଇବା। ଏହି ଘଟଣାରେ, ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ଶ୍ରୀ ମଲ୍ଲିକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କୁ ବଲାଙ୍ଗୀର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଉଛି।