ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ଅବସର ଘୋଷଣା

ଭାରତୀୟ ସ୍ପିନର ହରଭଜନ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିଛନ୍ତି | ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ହେଲା ହରଭଜନ ସିଂହ ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିଲେ । ଏହାଛଡ଼ା ଗତ ସପ୍ତାହରେ ମଧ୍ୟ ସେ କ୍ରିକେଟକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଥିଲା । ଆଜି ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟର୍ବୋନେଟର ।

ହରଭଜନ ସିଂହଙ୍କ ଯାତ୍ରା ଥିଲା କିଛି ଏହି ପରି: ଭାରତ ପକ୍ଷରୁ ୨୩୬ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୨୬୯ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ସେ ୧୦୩ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳି ୪୧୭ଟି ୱିକେଟ ହାସଲ କରି ରେକର୍ଡ କରିଛନ୍ତି । ଖାଲି ସେତିକି ନୁହେଁ ଟେଷ୍ଟ ମ୍ୟାଚ୍‌ରେ ହରଭଜନ ଦୁଇଟି ଶତକ ହାସଲ ମଧ୍ୟ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୯ ରନ୍‌ ।୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ଡେବ୍ୟୁ କରିଥିଲେ ହରଭଜନ । ସେହି ବର୍ଷ ଅପ୍ରେଲ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ୨୦୧୧ ବିଶ୍ବକପ୍‌ରେ ଚମ୍ପିଆନ୍‌ ଟିମ୍‌ ଇଣ୍ଡିଆରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ହରଭଜନ ।ଶେଷ ଥର ପାଇଁ ଭାରତ ପକ୍ଷରୁ ୨୦୧୫ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଶେଷ ଦିନିକିଆ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ବେଳେ ଶେଷ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।

Related Posts