ଅମ୍ଳଜାନର ଅଭାବ ହେତୁ ଘଟୁଥିବା ମୃତ୍ୟୁ, ତଥ୍ୟକୁ ଅସ୍ୱୀକାର କରନ୍ତୁ ନାହିଁ: ଗୋଆ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କର୍ଣ୍ଣାଟକ ଓ ଦିଲ୍ଲୀ ପରେ ଏବେ ଗୋଆରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଗୋଆର ପ୍ରାଥମିକ ସରକାରୀ ଡାକ୍ତରଖାନାରେ ସକାଳ 2 ଟାରୁ 6 ଟା ମଧ୍ୟରେ ଅମ୍ଳଜାନ ଅଭାବ ହେତୁ 26 ରୋଗୀ ପ୍ରାଣ ହରାଇଥିଲେ। ଏହାର ଦୁଇ ଦିନ ପରେ ଗୋଆର ପ୍ରମୋଦ ସାୱନ୍ତ ସରକାର ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ ଗୁରୁବାର ସକାଳେ ଆହୁରି 15 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ଅମ୍ଳଜାନର ଅଭାବ ନୁହେଁ ବୋଲି ଗୋଆ ସରକାର କୋର୍ଟଙ୍କୁ କହିଛନ୍ତି।ଏହି ମାମଲା ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ ନକରିବାରୁ ରାଜ୍ୟ ସରକାରଙ୍କୁ କୋର୍ଟ ତାଗିଦ୍ କରିଥିଲେ। “ପରିସଂଖ୍ୟାନ ଦର୍ଶାଉଛି ଯେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ଘଟୁଛି। ସତ୍ୟକୁ ଅସ୍ୱୀକାର କରିବାକୁ ଚେଷ୍ଟା କର ନାହିଁ ବୋଲି ହାଇକୋର୍ଟର ଗୋଆ ବେଞ୍ଚ ଜଷ୍ଟିସ ଏମଏସ ସୋନାକ ଏବଂ ନିତିନ ଜାମ୍ବ୍ରେ ରାଜ୍ୟର ଆଡଭୋକେଟ ଜେନେରାଲ ଦେବଦାସ ପଙ୍ଗମଙ୍କୁ କହିଛନ୍ତି।” ବେଞ୍ଚ କହିଛନ୍ତି ଯେ ଆମେ ଜାଣୁ ଯେ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇନାହିଁ। ଗୋଆ ମେଡିକାଲ କଲେଜ ଏବଂ ହସପିଟାଲରେ 26 ଜଣ ରୋଗୀ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇବାର ଦୁଇ ଦିନ ପରେ ବି ପୁଣି ଥରେ ସେହି ହସ୍ପିଟାଲରେ 15 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ଗୋଆ ସରକାରଙ୍କୁ କୋର୍ଟ କଡା ଭର୍ତ୍ସନା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଏକ ହାଇକୋର୍ଟର ଶୁଣାଣିରେ ଗୋଆ ମେଡିକାଲ କଲେଜ ସ୍ବାକାର କରିଛି ଯେ ଭୋର 2 ଟାରୁ 6 ଟା ମଧ୍ୟରେ ଅମ୍ଳଜାନ ସଙ୍କଟ କାରଣରୁ 15 କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଗୋଆ କୋଭିଡ ନେଟୱାର୍କ ପ୍ରତିଷ୍ଠା କରିଥିବା ଏବଂ ଆବେଦନକାରୀଙ୍କ ମଧ୍ୟରୁ ଶ୍ରୁତି ଚତୁର୍ବେଦୀ ଏହି 15 ଜଣଙ୍କ ମୃତ୍ୟୁ ବିଷୟରେ ପୂର୍ବରୁ ଟ୍ୱିଟ କରି ଜଣାଇଥିଲେ। ରାତିରେ ଅମ୍ଳଜାନ ଚାପ ହ୍ରାସ ପାଇବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ପୋଲିସ ସାହାଯ୍ୟ କରିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଅମ୍ଳଜାନ ଯୋଗାଇବାରେ ବିଫଳ ହୋଇଥିଲେ। ମେଡିକାଲ କଲେଜର ଡିନ୍ ଡକ୍ଟର ଶିବାନନ୍ଦ ବନ୍ଦେକର ସ୍ୱୀକାର କରିଛନ୍ତି ଯେ ରାତିରେ ଅମ୍ଳଜାନ ଚାପ ହ୍ରାସ ପାଇଛି କିନ୍ତୁ ସମସ୍ତ ମୃତ୍ୟୁ ଅମ୍ଳଜାନ ଅଭାବରୁ ହୋଇନଥିବା ସେ ଯୁକ୍ତି ବାଢିଛନ୍ତି। ଅମ୍ଳଜାନ ଅଭାବରୁ ଘଟୁଥିବା ମୃତ୍ୟୁକୁ ପ୍ରମୋଦ ସାୱନ୍ତ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି। ମୁଖ୍ୟ ବିରୋଧୀ ଦଳ ସମେତ ନିଜ ଦଳର ବିଧାୟକ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

Related Posts