
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଦେଶବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାହାକୁ ହସ୍ପିଟାଲରେ ବେଡ୍ ମିଳୁ ନି ତ ପୁଣି କିଏ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛି। ସ୍ଥିତି ଏତେ ଭୟବହ ଯେ ଲୋକେ କରୋନା ଭୟରେ ଶବକୁ ନଦୀରେ ଭସାଇ ଦେଉଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଶର ଲୋକମାନେ ଯେତିକି ଯନ୍ତ୍ରଣା ଭୋଗୁଛନ୍ତି ସେ ମଧ୍ୟ ମଧ୍ୟ ସେହିଭଳି ଯନ୍ତ୍ରଣା ଅନୁଭବ କରୁଛନ୍ତି। ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ରିଲିଜ୍ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “୧୦୦ ବର୍ଷ ପରେ ଆସିଥିବା ଏଭଳି ଭୟଙ୍କର ମହାମାରୀ ପ୍ରତ୍ୟେକ ମୁହୂର୍ତ୍ତରେ ବିଶ୍ବକୁ ପରୀକ୍ଷା କରୁଛି। ଆମ ସାମ୍ନାରେ ଏକ ଅଦୃଶ୍ୟ ଶତ୍ରୁ ଅଛି । ଯେଉଁମାନେ ଆମ ନିକଟତର ଥିଲେ ସେମାନଙ୍କ ମଧ୍ୟରୁ ଆମେ ଅନେକଙ୍କୁ ଆମେ ହରାଇଛୁ। ଦେଶବାସୀ ଅନେକ ଯନ୍ତ୍ରଣା ଭୋଗୁଛନ୍ତି । ନିକଟ ଅତୀତରେ, ଅନେକ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି , ମୁଁ ମଧ୍ୟ ସେହିଭଳି ଅନୁଭବ କରୁଛି”। ଯେତେବେଳେ ବି ସେମାନଙ୍କ ସୁଯୋଗ ଆସେ ଟୀକାକରଣ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ , “ଏହି ଟିକା ଆମକୁ COVID-19 ରୁ ସୁରକ୍ଷା ଦେବ, ଗୁରୁତର ରୋଗ ହେବାର ସମ୍ଭାବନାକୁ ହ୍ରାସ କରିବ। ନିଜକୁ ରକ୍ଷା କରିବା ପାଇଁ ଏହି ଟିକା ଏକ ପ୍ରଭାବଶାଳୀ ମାଧ୍ୟମ। କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର ଏକତ୍ରିତ ହୋଇ ନିରନ୍ତର ଉଦ୍ୟମ କରୁଛନ୍ତି ଯେ ଯେତେ ଶୀଘ୍ର ଲୋକେ ଏହି ଟିକା ନେଇପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ 18 କୋଟି ଡୋଜ ଟିକା ଦିଆଯାଇଛି। ” କରୋନା ଏବେ ଗ୍ରାମାଞ୍ଚଳରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା ସହିତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ବ୍ଲାକ୍-ମାର୍କେଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ କୃଷକମାନେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିବାବେଳେ ସରକାର ପ୍ରତିବର୍ଷ ଏମଏସପି କ୍ରୟ ଉପରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଡା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ହୋଇଛି।