ଅର୍ଜୁନ ପୁରସ୍କାର ତାଲିକାରେ ଅମିତ ଓ ବୀରେନ୍ଦ୍ର

କଟକ : ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଓଡ଼ିଆ ତାରକା  ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବୀରେନ୍ଦ୍ର ଓ ଅମିତ ରାଜ୍ୟର ୯ତମ ଓ ୧୦ତମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୪୧ ବର୍ଷ ପରେ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ହକି ଦଳକୁ ଅର୍ଜୁନ ପୁରସ୍କାର ପ୍ରଦାନ ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି ପକ୍ଷରୁ କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିଶ କରିଛି। କ୍ରୀଡ଼ା ମନ୍ତ୍ରାଳୟର ଅନୁମୋଦନ ପାଇବା ପରେ ଉକ୍ତ ଖେଳାଳିମାନେ ଅର୍ଜୁନ ପୁରସ୍କାର ପାଇବା ନିଶ୍ଚିତ ହେବ। ଭାରତୀୟ ହକି ଦଳର ଗୋଲକିପର ପି.ଆର ଶ୍ରୀଜେଶ ମେଜର ଧ୍ୟାନଚାନ୍ଦ


ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହେବା ଏବଂ ମନପ୍ରୀତ ସିଂହ ପୂର୍ବରୁ ଅର୍ଜୁନ ପୁରସ୍କାର ପାଇସାରିଥିବାରୁ ଦଳର ଅନ୍ୟ ୧୬ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ୩୦ ବର୍ଷୀୟ ରକ୍ଷଣଭାଗ ଖେଳାଳି ଅମିତ ୨୦୧୩ରେ ଭାରତୀୟ ବରିଷ୍ଠ ହକି ଦଳରେ ଏସିଆ କପ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ। ଏଥିମଧ୍ୟରେ ୧୦୫ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୭ଟି ଗୋଲ ସ୍କୋର କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ ଅମିତ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷ କରି କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀ ବିପକ୍ଷରେ ଚମତ୍କାର ଖେଳ ଦେଖାଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ୨୦୧୨ରେ ଭାରତୀୟ ବରିଷ୍ଠ ହକି ଦଳ ପକ୍ଷରୁ ଖେଳି ଆସୁଥିବା ରକ୍ଷଣାଭାଗ ଖେଳାଳି ବୀରେନ୍ଦ୍ର ଗତ ସେପ୍ଟେମ୍ବର ୩୦ରେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ। ସେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହିତ ୨୦୨୦ ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ୧୯୮୦ରେ ସାଇକେଲ ଚାଳିକା ମିନତୀ ମହାପାତ୍ର, ୧୯୮୧ରେ ଭାରୋତ୍ତୋଳକ ବିଜୟ କୁମାର ଶତପଥି, ୧୯୯୮ରେ ଧାବିକା ରଚିତା ମିସ୍ତ୍ରୀ ପଣ୍ଡା, ୨୦୦୨ରେ ଅଲିମ୍ପିଆନ ହକି ତାରକା ଦିଲ୍ଲୀପ ତିର୍କୀ, ୨୦୦୭ରେ ମହିଳା ହକି ତାରକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ହକି ତାରକା ଇଗ୍ନେସ ତିର୍କୀ, ୨୦୧୧ରେ ଭାରୋତ୍ତୋଳକ କାଟୁଲ ରବି କୁମାର, ୨୦୧୯ରେ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ ୨୦୨୦ରେ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ପାଇଥିଲେ।

Related Posts