ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ। ମହାପ୍ରଭୁ ଏବେ ଅଣସର ଘରେ ଥିବାବେଳେ ଚାଲିଛି ଗୁପ୍ତ ସେବା। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ସାକ୍ଷାତ ରୂପ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି। ଠାକୁରଙ୍କୁ ଲାଗି ହେଉଥିବା ‘କ୍ଷୀରୀ ଭୋଗ’ ଅତ୍ୟନ୍ତ ପ୍ରସିଦ୍ଧ। ପୁରୀ ଶ୍ରୀଜିଉଙ୍କ ଅଣସର ସମୟରେ, ଅର୍ଥାତ ରଥଯାତ୍ରା ପୂର୍ବରୁ, ଭକ୍ତମାନେ ଏଠାକୁ ଆସି ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ଏହି ସ୍ୱାଦିଷ୍ଟ କ୍ଷୀରୀ ଭୋଗ କରିଥା’ନ୍ତି।

କ୍ଷୀରୀ ଭୋଗର ମାହାତ୍ମ୍ୟ ଏବଂ ଇତିହାସ

ପୂରାଣ ବର୍ଣ୍ଣିତ ଅନୁସାରେ, ପୂର୍ବେ ଜଣେ ଭକ୍ତ ଅତ୍ୟନ୍ତ ଭକ୍ତିର ସହ ଠାକୁରଙ୍କୁ ଅତି ଗରମ କ୍ଷୀରୀ ଅର୍ପଣ କରିଥିଲେ। ସେହି କ୍ଷୀରୀକୁ ଖାଇବାକୁ ଯାଇ ଭଗବାନଙ୍କ ହାତ ଏବଂ ମୁହଁ ପୋଡ଼ି ଯାଇଥିଲା। ଏହି ଚିହ୍ନ ଆଜି ବି ବିଗ୍ରହଙ୍କ ଦେହରେ ଦେଖିବାକୁ ମିଳେ। ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥଙ୍କୁ ହିଁ ପ୍ରତ୍ୟକ୍ଷ ଭଗବାନ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତ ମନ୍ଦିରକୁ ଆସି କ୍ଷୀରୀ ଭୋଗ ଲାଗି କରିଥା’ନ୍ତି।