ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଲାରନାଥଙ୍କ ସହ ରହିଛି ଗଭୀର ସମ୍ପର୍କ। ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ । ଚୈତନ୍ୟ ପରମ୍ପରା ସହିତ ଜଡିତ ଅଲାରନାଥ ମନ୍ଦିର ଅଣସର ସମୟରେ ଉତ୍ସବ ମୁଖର ହୋଇଥାଏ। ମନ୍ଦିରରେ ଏହି ୧୫ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହିତ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥାଏ। ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ସ୍ନାନବେଦିରେ ଦର୍ଶନ କରିଥିଲେ। କିନ୍ତୁ ତା ପରଦିନ ମହାପ୍ରଭୁଙ୍କ ଦର୍ଶନ ପାଇ ନ ଥିଲେ। ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିଥିଲେ। ଶ୍ରୀ ଚୈତନ୍ୟ ନିରାଶ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ବେଳେ ଶୂନ୍ୟ ବାଣୀ ହୋଇଥିଲା। ପଶ୍ଚିମକୁ ୫ କୋଶ ଦୂର ଯାଇ ମୋର ନାରାୟଣ ରୂପ ଦର୍ଶନ କର । ଶ୍ରୀ ଚୈତନ୍ୟ ଆସି ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହୋଇଥିଲେ। ଶ୍ରୀ ଚୈତନ୍ୟ ଯେତେବେଳେ ଶିଳା ଉପରେ ସାଷ୍ଟାଙ୍ଗ ପ୍ରଣାମ କଲେ, ତାଙ୍କ ପ୍ରେମଭକ୍ତିର ଉଷ୍ମତାରେ କଠିନ ପଥର ତରଳି ଯାଇଥିଲା। ଆଜି ବି ମନ୍ଦିର ପରିସରରେ ପୂଜା ପାଉଥିବା ସେହି ପବିତ୍ର ‘ସର୍ବାଙ୍ଗ ଶିଳା’ ଶ୍ରୀ ଚୈତନ୍ୟଙ୍କ ଅପାର ଭକ୍ତିର ପ୍ରମାଣ ଦେଉଛି, ଯାହାକୁ ଦେଖି ଦେଶବିଦେଶରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଭାବବିହ୍ଵଳ ହୋଇପଡୁଛନ୍ତି। ଉକ୍ତ ପୀଠରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
