ଆଜି ବମ୍ବେ ହାଇକୋର୍ଟରେ ହେବ ଆର୍ଯ୍ୟନ୍‌ଙ୍କ ଶୁଣାଣି

ମୁମ୍ବାଇ : ଆର୍ଯ୍ୟନ ଖାନଙ୍କୁ କେବେ ମିଳିବ ବେଲ୍। ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଆର୍ଯ୍ୟନଙ୍କୁ ମିଳିନି ଜାମିନି। ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ଯ୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ । ଆର୍ଯ୍ୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତୋଗୀ । ପୂର୍ବରୁ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ। ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା । ଗତକାଲି ଶୁଣାଣି ପୁଣି ଥରେ ସ୍ଥଗିତ ରହିଥିଲା ।

ଆର୍ଯ୍ୟନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଛି ଏନସିବି। କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି। ଆର୍ଯ୍ୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଆର୍ଯ୍ୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି। ଏବଂ ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ।

ତେବେ ସେହି ଚାଟକୁ ଆଧାର କରି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବି ସମନ କରିଥିଲା ଏନସିବି। ଆଉ ପଚରାଉଚୁରା କରିଥିଲା। ଆର୍ଯ୍ୟନଙ୍କର ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଚାଟରୁ ଜଣାପଡିଥିବା ଦାବି କରି ଆସୁଛି ଏନସିବି । ଆରୟନଙ୍କୁ ଜାମିନ ମିଳିଲେ ସେ ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଦର୍ଶାଇ ଜାମିନ ନଦେବାକୁ କୋର୍ଟରେ ଅପିଲ କରୁଛି। ଏନସିବିର ଦାବିକୁ ଯଥାର୍ଥ ଭାବି ଆର୍ଯ୍ୟନଙ୍କୁ ଏପର୍ଯ୍ୟନ୍ତ ବେଲ୍ ଦେଇନାହାନ୍ତି କୋର୍ଟ । ତିନି ଦିନ ହେଲା ହାଇକୋର୍ଟରେ ଚାଲିଛି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି।

Related Posts