ଆଜି ୬ ହଜାର ୧୩୧ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଆଜି ୬ ହଜାର ୧୩୧ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର | ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିଛନ୍ତି। ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ ।

ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ୬ ହଜାର ୧୩୧ ଶିକ୍ଷକଙ୍କୁ ଆଜି ନିଯୁକ୍ତିପତ୍ର ଦିଆଯିବା ସହିତ ସେମାନଙ୍କର ଓରିଏଣ୍ଟେସେନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି ।

ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବ । ସେହିପରି ଅପରାହ୍ଣ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ । ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷକ ଡ୍ରେସକୋର୍ଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି । ତେବେ କଟକରେ ସର୍ବଧିକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇବେ ।

ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ବାଣ୍ଟିବେ । ଷ୍ଟାଡିୟମ୍‌କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍‌, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ ।

Related Posts