ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେତେବେଳେ ରଙ୍ଗ ତ କେତେବେଳେ ନାମ ପରିବର୍ତ୍ତନରେ ସରକାର ବ୍ୟସ୍ତ। ଶିକ୍ଷାର ମାନ ପରିବର୍ତ୍ତନରେ ଯେତିକି ଗୁରୁତ୍ବ ଦିଆଯିବା କଥା ନାମ ପରିବର୍ତ୍ତନରେ ତା’ଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି। ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର ୧୯୦୨୧ ଅନୁଯାୟୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ରହିଛି । ଏସବୁ ଗୁଡ଼ିକର ନାମ ପୂର୍ବରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଉଲ୍ଲେଖ କରାଯାଉଥିଲା। ଏସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି। ଏବେ ଆଉ କେବଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଉଲ୍ଲେଖ ନହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ବୋଲି ଉଲ୍ଲେଖ କରାଯିବ। ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ରେକର୍ଡ, ବିଜ୍ଞପ୍ତି, ନିର୍ଦ୍ଦେଶନାମା, ନିୟମ, ଅଧିନିୟମ, ମାନୁଆଲ୍ସ, ସର୍ଭିସ୍ ରେକର୍ଡ୍ସ ଆଦି କାର୍ଯ୍ୟାଳୟ ନଥିପତ୍ରରେ ଏହି ନୂଆ ନାମକୁ ସ୍ଥାନିତ କରାଯିବ। ଏଥିରେ ଆଗରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର କ୍ଷମତା ରହିଥିଲା ତାହା ଜାରି ରହିବ। ଡ୍ୟୁଟି, କ୍ଷମତା, ଦାୟିତ୍ୱ, ଅଧୀନ, କାର୍ଯ୍ୟ ଆଦି ସମାନ ଭାବେ ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଏପରିକି ଆଗାମୀ ଦିନରେ ଏନେଇ ସରକାରୀ ଗେଜେଟ୍ ଆସିବ।
